୧୦ ଦିନ ପରେ ବି ଆସୁନାହିଁ ଔଷଧ : ରୋଗୀ ହଇରାଣ

0
77

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ ) : ସରକାର ରୋଗୀ ସେବାକୁ ପ୍ରଧାନ୍ୟ ଦେବା ସହିତ ନିରାମୟ ଯୋଜନା ମାଧ୍ୟମରେ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦେଇ ଆସୁଛନ୍ତି। ମାତ୍ର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଔଷଧ ଅଭାବରୁ ଏହି ଯୋଜନା ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଆବଶ୍ୟକ ଅନୁସାରେ ଔଷଧ ଆସୁ ନଥିବା ତଥା ପ୍ରମୁଖ ଔଷଧ ଗୁଡିକ ଠିକ ସମୟରେ ଜିଲା କାର୍ଯ୍ୟାଳୟ ଦେଉ ନ ଥିବାରୁ ରୋଗୀଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଆଉଟ୍‌ଡୋର୍‌ରେ ରୋଗୀଙ୍କୁ କେବଳ ଡାକ୍ତରଖାନାରେ ଥିବା ଔଷଧ ଲେଖିବା ପାଇଁ ସରକାରଙ୍କ ପକ୍ଷରୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଡାକ୍ତରମାନେ ଲେଖୁଥିବା ନିରାମୟ ଯୋଜନାର ଔଷଧ ଡାକ୍ତରଖାନାରେ ଉପଲବ୍ଧ ରହୁନାହିଁ। ଫଳରେ ରୋଗୀମାନେ ଡାକ୍ତରଙ୍କୁ ରୋଗ ଉପଶମ ପାଇଁ ବାହାରୁ ଔଷଧ ଲେଖିବା ପାଇଁ ବାଧ୍ୟ କରୁଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ଅଳ୍ପ ଓ.ଆର.ଏସ ପାଉଡର ରହିଥିବା ତଥା ଗ୍ୟାସ୍‌, ଝାଡା, ବ୍ଲଡପ୍ରେସର, ଆଇରନ୍‌, କ୍ୟାଲସିୟମ, ଆଣ୍ଟିବାଓଟିକ୍‌ ଆଦି ଔଷଧ ମିଳୁ ନଥିବା ବେଳେ ଛୋଟ ଛୁଆଙ୍କର ବିଭିନ୍ନ ସିରପ୍‌ ଓ ଔଷଧ ମିଳୁନାହିଁ। ଏହି ଚିକିତ୍ସାଳୟ ଉପରେ ମୟୁରଭଞ୍ଜ, ଝାଡଖଣ୍ଡ ଓ ଓଡିଶାର ବହୁ ଆଦିବାସୀ ନିର୍ଭର କରୁଥିବା ବେଳେ ଅର୍ଥ ଅଭାବରୁ ଆବଶ୍ୟକ ଅନୁସାରେ ଔଷଧ କିଣି ନ ପାରି ହୀନସ୍ତା ହେଉଛନ୍ତି। ଚଳିତ ମାସ ୧ ତାରିଖରେ ଔଷଧର ଆବଶ୍ୟକ ଚିଠା ଜିଲା କାର୍ଯ୍ୟାଳୟ ପାଖକୁ ପଠା ଯାଇଥିଲେ ମଧ୍ୟ ୧୨ ଦିନ ପରେ ବି ଔଷଧ ପହଞ୍ଚି ନଥିବା ଫାର୍ମାସିଷ୍ଟ ସୂଚନା ଦେଇଛନ୍ତି। ଏସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.କର୍ଣ୍ଣରାମ ମହାନ୍ତଙ୍କୁ ପଚାରିବାରୁ ଆମ୍ଭେ ଔଷଧ ଅଭାବ ସମ୍ବନ୍ଧରେ ଜିଲା କାର୍ଯ୍ୟାଳୟକୁ ସୂଚନା ଦେଇ ସାରିଛୁ। ଅନ୍‌ଲାଇନ୍‌ ପ୍ରୋବ୍ଲେମ ପାଇଁ ଔଷଧ ଆସିବାରେ ବିଳମ୍ବ ହେଉଥିବା ଅନୁମାନ କରାଯାଉଛି। କାଲି ସୁଦ୍ଧା ଔଷଧ ନ ପହଞ୍ଚିଲେ ଆମେ ଜିଲା କାର୍ଯ୍ୟାଳୟ ଯାଇ ଔଷଧ ଆଣିବୁ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here