ସାକ୍ଷୀଙ୍କୁ ମିଳିବ ସୁରକ୍ଷା: ନୂଆ ଯୋଜନା ଆଣିଲେ ସରକାର

0
48

ଭୁବନେଶ୍ୱର: ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ମିଳିବ ସୁରକ୍ଷା। ଏଥିପାଇଁ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ଆଧାରରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଗତ ୫ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ ଜରିଆରେ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରାଯାଇଥିବା ଗୃହ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

ଯୋଜନା ଅନୁସାରେ ତଦନ୍ତଠାରୁ କୋର୍ଟରେ ସାକ୍ଷ୍ୟ ପ୍ରଦାନ ପର୍ଯ୍ୟନ୍ତ ସାକ୍ଷୀମାନଙ୍କୁ ସୁରକ୍ଷା ଦିଆଯିବ। ସାକ୍ଷୀମାନଙ୍କ ଉପରେ କେଉଁ ପ୍ରକାର ବିପଦ ଆଶଙ୍କା ରହିଛି ସେ ନେଇ ଜିଲ୍ଲା ପୁଲିସ ମୁଖ୍ୟ ଏକ ଥ୍ରେଟ୍ ଆନାଲେସିସ୍ ରିପୋର୍ଟ ପ୍ରସ୍ତୁତ କରିବେ। ଦରକାର ସ୍ଥଳେ ସାକ୍ଷୀଙ୍କ ପରିଚୟ ଗୋପନୀୟ ରଖିବା, ଆବଶ୍ୟକ ହେଲେ ତାଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ତାଙ୍କ ନିକଟରେ ଥିବା ତଥ୍ୟ ପ୍ରମାଣକୁ ସୁରକ୍ଷା ଦେବା ଲାଗି ବ୍ୟବସ୍ଥା ହେବ। ଏମିତିକି ସାକ୍ଷୀଙ୍କ ସୁରକ୍ଷା ପାଇଁ CCTV ଓ ଆଲାର୍ମ ବ୍ୟବସ୍ଥା ମଧ୍ୟ କରାଯିବ।

ଖାଲି ସେତିକି ନୁହେଁ, ସାକ୍ଷୀଙ୍କ ସୁରକ୍ଷା ଲାଗି ଜିଲ୍ଲାସ୍ତରରେ ଏକ କମିଟି ମଧ୍ୟ ଗଠନ ହେବ। ଯେଉଁଥିରେ ଜିଲ୍ଲା ଜଜ୍, ଏସ୍‌ପି ଓ ସରକାରୀ ଓକିଲ ସଦସ୍ୟ ରହିବେ। ସାକ୍ଷୀଙ୍କୁ ଧମକ ଆସିଲେ କିମ୍ବା ତାଙ୍କ ଧନଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହେଲେ ସେ କମିଟି ନିକଟରେ ଅଭିଯୋଗ କରି ପାରିବେ। କମିଟି ସତ୍ୟାସତ୍ୟ ଯାଞ୍ଚ କରି ତୁରନ୍ତ ସୁରକ୍ଷା ବନ୍ଦୋବସ୍ତ ପାଇଁ ଆଦେଶ ଦେବ। ଏଥିପାଇଁ ସାକ୍ଷୀ ସୁରକ୍ଷା ପାଣ୍ଠିରୁ ଅର୍ଥ ବ୍ୟୟ ହେବ। ତେବେ ସାକ୍ଷୀ ଯଦି ମିଥ୍ୟା ଅଭିଯୋଗ କରିଥିବା ପରବର୍ତ୍ତୀ ସମୟରେ କମିଟି ପ୍ରମାଣ ପାଏ, ତାହାଲେ ସୁରକ୍ଷା ବାବଦରେ ଖର୍ଚ୍ଚ ବାବଦ ସମସ୍ତ ଅର୍ଥ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଆଦାୟ କରାଯିବ।

୨୦୧୭ ମସିହାରେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ପୀଡ଼ିତଙ୍କ ପରିବାର ସହ ସାକ୍ଷୀଙ୍କୁ ସୁରକ୍ଷା ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ଗୃହ ବିଭାଗକୁ ଜବାବ ତଲବ କରିଥିଲେ। ଏହା ପରେ ସାକ୍ଷୀ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here