ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ

0
79

ସମ୍ବଲପୁର : ବିଜେଡ଼ି ଏଥର ପଞ୍ଚମଥର ପାଇଁ ସରକାର ଗଠନ କରୁଥିବା ବେଳେ ଦଳର କେଉଁ ନେତାଙ୍କୁ ମିଳିବ ମନ୍ତ୍ରୀପଦ? କାହାକୁ ମିଳିବ କେଉଁ ବିଭାଗ? ରାତି ପାହିଲେ ହେବ ଶପଥପାଠ ଉତ୍ସବ। ତେବେ କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ, ଏହାକୁ ନେଇ ବିଜୟୀ ବିଜେଡ଼ି ନେତାଙ୍କ ମଧ୍ୟରେ ବଢ଼ି ଚାଲିଛି ଉତ୍କଣ୍ଠା।

ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏଥର ଜିଲ୍ଲାଗୁଡ଼ିକରୁ ଉପଯୁକ୍ତ ପ୍ରତିନିଧି ଦେବାକୁ ନବୀନ ଯୋଜନା କରୁଥିବା କୁହାଯାଉଛି। ସମ୍ଭାବ୍ୟ ତାଲିକା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର, ଗୋପାଳପୁରରୁ ନିର୍ବାଚିତ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ, କବିସୂର୍ଯ୍ୟ ନଗରରୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ଲତିକା ପ୍ରଧାନ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ତାଲିକାରେ ନବରଙ୍ଗପୁର ଜିଲ୍ଲାରୁ ମନୋହର ରନ୍ଧାରୀଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି।

ସେହିପରି ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ, ବଲାଙ୍ଗିରରୁ ଟୁକୁନି ସାହୁ, ସୁବର୍ଣ୍ଣପୁରରୁ ନିରଞ୍ଜନ ପୂଜାରୀ, ଝାରସୁଗୁଡ଼ାରୁ ନବକିଶୋର ଦାସ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ସ୍ଥାନ ମିଳିପାରେ। ଅନ୍ୟ ପକ୍ଷରେ ଢେଙ୍କାନାଳ ଜିଲ୍ଲାରୁ ପ୍ରଫୁଲ୍ଲ ମଲ୍ଲିକ, କଟକରୁ ପ୍ରତାପ ଜେନା ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାମ ଶୁଣିବାକୁ ମିଳୁଥିବା ବେଳେ ଖୋର୍ଦ୍ଧାରୁ ଅଶୋକ ପଣ୍ଡାଙ୍କୁ ପ୍ରତିନିଧିତ୍ୱ ମିଳିବା ସମ୍ଭାବନା ରହିଛି।

ଉପକୂଳ ଓଡ଼ିଶାର ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ପୁରୀରୁ ସମୀର ରଞ୍ଜନ ଦାଶ, କେନ୍ଦ୍ରାପଡ଼ାରୁ ପ୍ରତାପ କେଶରୀ ଦେବଙ୍କୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ଏହାଛଡ଼ା ଆଉ କିଛି ପୁରୁଣା ନେତାଙ୍କୁ ନବୀନ ସାଙ୍ଗରେ ନେଇପାରନ୍ତି  ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here