ସମଲେଶ୍ୱରୀ ଏକ୍ସପ୍ରେସ ସହ ମେଣ୍ଟନାନ୍ସ ଇଞ୍ଜିନର ଧକ୍କା : ୩ଜଣଙ୍କ ମୃତ୍ୟୁ

0
60

ରାୟଗଡ଼ା ( ଆଦ୍ୟାଶା ନ୍ୟୁଜ) : ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ୱଡ଼ାରୁ ଜଗଦଲପୁର ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ୍‌କୁ ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏକ ମେଣ୍ଟନାନ୍ସ ଇଞ୍ଜିନ ଧକ୍କା ଦେବା ଫଳରେ ସେଥିରେ ନିଆଁ ଲାଗିଯାଇଛି। ଏଥିରେ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ମୃତକ ୩ଜଣ ହେଲେ ମେଣ୍ଟେନାନ୍ସ ଇଂଜିନ ଟେକ୍ନିସିଆନ ସୁରେଶ, ସିନିୟର ଇଲେକ୍ଟ୍ରିକାଲ୍‌ ସେକ୍ସନ ଇଂଜିନିୟର ସାଗର ଓ ଇଲେକ୍ଟ୍ରିକାଲ୍‌ ଟେକ୍ନିସିଆନ ଗୌରୀ ନାଇଡୁ।

ଏବେ ଅଗ୍ନିଶମ ବାହିନୀ ଓ ଆର୍‌ପିଏଫ୍ ନିଆଁ ଲିଭାଇବା ସହ ଆହତ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି। ଘଟଣା ସ୍ଥଳରେ ରାୟଗଡ଼ା ଜିଲ୍ଲାପାଳ ଓ ଏସ୍‌ପି ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଦୁର୍ଘଟଣା ସ୍ଥଳକୁ କୋରାପୁଟରୁ ଏକ ସ୍ପେଶାଲ ଟ୍ରେନ୍‌ ଟେକନିକାଲ ଟିମ୍‌କୁ ନେଇ ବାହାରିଛି।

ସୂଚନା ଅନୁସାରେ, ଆଜି ଅପରାହ୍ଣ ସାଢ଼େ ୪ ବେଳେ ସମଲେଶ୍ୱରୀ ଏକ୍ସପ୍ରେସକୁ ସାମ୍ନାରୁ ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଂଜିନ ଆସି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା।  ଫଳରେ ସମଲେଶ୍ୱରୀ ଏକ୍ସପ୍ରେସର ଇଞ୍ଜିନ୍, ଲଗେଜ୍ ଭ୍ୟାନ୍ ଓ ଗୋଟିଏ ଜେନେରାଲ୍ ସେକେଣ୍ଡ୍ କ୍ଲାସ୍ କୋଚ୍ ଲାଇନଚ୍ୟୁତ ହୋଇଥିବା ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି। ନିଆଁ ଲାଗିଥିବା ଇଞ୍ଜିନକୁ ଅନ୍ୟ ବଗିରୁ ଅଲଗା କରାଯାଇଛି। ବିଶାଖାପାଟଣାରୁ ଏକ ରେଳ ବିଭାଗ ଅଧିକାରୀ ଦଳ ସେଠାକୁ ଆସୁଥିବା ସୂଚନା ମିଳିଛି।
ସେପଟେ ଏହି ଘଟଣାରେ ୨ ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ୍ କରିଛି ରେଳ ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଓ ସିଙ୍ଗାପୁର ରୋଡ଼ ଷ୍ଟେସନ ମାଷ୍ଟରଙ୍କୁ ସସ୍‌ପେଣ୍ଡ କରାଯାଇଥିବା ରେଲ୍‌ୱେ ସୂତ୍ରରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here