ସଫଳ ହେଲା ଭାଇ ଭଉଣୀ, ଙ୍କ ଉଦ୍ୟମ: ନହୁରାଣୀ ପୋଲ ପ୍ରକ୍ରିୟା ଆରମ୍ଭ

0
122

ଅନୁଗୋଳ (ଆଦ୍ୟାଶ| ନିଉଜ) – ଗଁ।ରୁ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବାହିତ ନହୁରାଣୀ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ୨୦୧୨ରୁ କୁନି ଭଉଣୀ ଆଦ୍ୟାଶା ପ୍ରିୟଦର୍ଶିନୀ(୮) ଓ ଭାଇ ଆୟୁଷ ରଞ୍ଜନ ରାଉତ(୧୨) ଚଳାଇଥିବା ଉଦ୍ୟମ ଶେଷରେ ସଫଳ ହେବାକୁ ଯାଉଛି। ଦୁଇ ଶିଶୁଙ୍କ ନିକଟରୁ ବାରମ୍ବାର ଚିଠି ପାଇଥିବା ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ବି ଅବହେଳା କରି ଆସିଥିବା ପ୍ରଶାସନ ଶେଷରେ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଗତ ମାସରେ ଟେଣ୍ଡର ହୋଇଥିବା ବେଳେ ବୁଧବାର ଠିକାସଂସ୍ଥାର ଅଧିକାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ସ୍ଥାନ ପରିଦର୍ଶନ କରି କାମ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଭଉଣୀଭାଇଙ୍କ ସହ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି। ପିଲାଙ୍କ ପାଠପଢ଼ା ସହ ଦୀର୍ଘଦିନର ସମସ୍ୟା ସମାଧାନ ହେବାକୁ ଯାଉଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖୁବ୍‌ଶୀଘ୍ର ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଅନୁଗୋଳ ସୀମାନ୍ତବର୍ତ୍ତୀ ସମ୍ବଲପୁର ଜିଲା ନାକଟୀଦେଉଳ ବ୍ଲକ କୁଡ଼ାନାଳି ଗଁାର ଆୟୁଷ ରଞ୍ଜନ ରାଉତ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ଦୀର୍ଘ ୬ ବର୍ଷ ତଳୁ ଗଁାକୁ ରାସ୍ତା ଓ ନହୁରାଣୀ ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ। ଉଭୟ ଛେଣ୍ଡିପଦା ବ୍ଲକ ଗଡ଼ମଣ୍ଡଳ ସରସ୍ବତୀ ଶିଶୁ ମନ୍ଦିରରେ ପଢ଼ୁଥିବାରୁ ଦୈନିକ ନାଳ ପାଣିରେ ପଶି ସ୍କୁଲ ଯିବାଆସିବା କରୁଥିଲେ। ବର୍ଷାଦିନେ ନାଳରେ ପ୍ରଖର ସୁଅ ଯୋଗୁ ସେମାନେ ସ୍କୁଲ ଯାଇପାରୁ ନ ଥିଲେ। ଏ ନେଇ ୨୦୧୨ରେ ଦୁହେଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ଦୁର୍ଦ୍ଦଶା ବର୍ଣ୍ଣନା କରିଥିଲେ। ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ସୀମା ବିବାଦ କାରଣରୁ ପୋଲ ଓ ରାସ୍ତା ନିର୍ମାଣ ହୋଇପାରୁ ନ ଥିଲା। ଏହାପରେ ଦୁଇ ଶିଶୁ ରାଜ୍ୟପାଳ ଓ ମାନବାଧିକାର କମିଶନରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ଜିଲା କାର୍ଯ୍ୟାଳୟ ପକ୍ଷରୁ ଉଭୟଙ୍କୁ ଡାକି ପ୍ରଶଂସା କରାଯିବା ସହ ପୋଲ ନିର୍ମାଣ ଅତିଶୀଘ୍ର ହେବ ବୋଲି ଆଶ୍ୱାସନା ଦିଆଯାଇଥିଲା। ତଥାପି ବିଳମ୍ବ ହେବାରୁ ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ଉଭୟେ ଭେଟି ଦାବି ଉପସ୍ଥାପନ କରିଥିଲେ। ଏହାପରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ପରେ ଗତ ଫେବୃୟାରୀ ୧୪ରେ ପ୍ରଶାସନ ଟେଣ୍ଡର କାର୍ଯ୍ୟ ସମ୍ପନ୍ନ କରିଥିଲା। ଏବେ ପୋଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିବା ପରେ ଆଦର୍ଶ ପାଲଟିଥିବା ଦୁଇ ଶିଶୁଙ୍କ ସହ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here