ରେଳ ସାଇଡିଂ ଯୋଗୁ ବଢ଼ୁଛି ପ୍ରଦୂଷଣ: ବନ୍ଦ ନ ହେଲେ ଆନ୍ଦୋଳନ ଚେତାବନୀ

0
92
କେନ୍ଦୁଝର (ସଂଜୀବ ସାହୁ/ଆଦ୍ୟାଶl ନିଉଜ) :ସଦର ବ୍ଲକ ଅନ୍ତର୍ଗତ ଗୁଆଲଡିହ ରେଳ ସାଇଡିଂକୁ ଦିନ ରାତି  ମାଲ୍‌ ପରିବହନ ହେଉଥିବାରୁ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ନେଇ  ଅସନ୍ତୋଷ ବଢୁଛି। ଏହାକୁ ନେଇ ରେଳ ସାଇଡିଂକୁ ମାଲ୍‌ ପରିବହନ ବନ୍ଦ ପାଇଁ ଦଳିତ ଆଦିବାସୀ ମହାସଂଘ ତରଫରୁ ଜିଲାପାଳଙ୍କଠାରେ ଦାବି କରାଯାଇଛି । ଏହି ସାଇଡିଂକୁ ବିଭିନ୍ନ ସମୟରେ ସ୍ଥାନୀୟ କାରଖାନାରୁ ପିଲେଟ ପରିବହନ ହୋଇଥାଏ। ହୁଙ୍ଗୁଳା,  ବାଙ୍କମାରୁଣୀ, ଜଡିଚାତର, ପୁଟୁଳିଆ, ପଦ୍ମପୁର, ରତନପୁର, ବିରୋକିଶୋରପୁର, ଦାବାଙ୍କ, ନୂଆଗାଁ, ଗୁଆଲଡିହ ଗ୍ରାମ ଦେଇ ଟିପର ଓ ଟ୍ରକରେ ଏହି ମାଲ ପରିବହନ ହୋଇ ଆସୁଥିବାରୁ ରାସ୍ତାଘାଟ ନଷ୍ଟ ହେବା ସହ ଧୂଳିଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ଲୋକମାନେ ନାନା ସମସ୍ୟା ମଧ୍ୟରେ ରହୁଛନ୍ତି। ପିଲେଟ ପରିବହନ ଯୋଗୁଁ ଗ୍ରାମରାସ୍ତା ତଥା ଜାତୀୟ ରାଜପଥ ୨୦ନଂ ରେ ପିଲେଟ ସବୁ ପଡି ଦୁର୍ଘଟଣାର କାରଣ ହେଉଛି । ଅନେକ ସମୟରେ ଏହି ପିଲେଟ କାରଣରୁ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକ ପ୍ରତିବାଦ କରିଆସୁଥିଲେ ହେଁ କେହି ଶୁଣୁନଥିବାରୁ ମଧ୍ୟ ଅସନ୍ତୋଷ ବଢୁଛି। ଅନ୍ୟପକ୍ଷେ ରତନପୁର ଦେଇ ଯାଇଥିବା ରେଳ ସାଇଡିଂ ରାସ୍ତାରେ ପିଲେଟ(ଗୁଲି) ମାଲ ବିଛାଡି ହୋଇ ପଡିରହିଥିବା ବେଳେ ଝାଞ୍ଜି ପବନରେ ଲୌହ ଗୁଡିକ ରତନପୁର, ବିରୋକିଶୋରପୁର, ଦାବାଙ୍କ, ନୂଆଗାଁ, ଗୁଆଲଡିହ ଆଦି ଗ୍ରାମରେ ଥିବା ଉର୍ବର ଚାଷ ଜମି ଉପରେ ପଡିରହୁଥିବାରୁ ଚାଷ ଜମି ଟାଙ୍ଗରିଆ ହୋଇ ଅନୁର୍ବର ହୋଇ ପଡୁଛି।  ଏହି ଲୁହା ଗୁଣ୍ଡ ଯୋଗୁ କୂପ, ନଦୀନାଳ ପାଣିରେ ଏକ ପ୍ରକାର ଆସ୍ତରଣ ଜମୁଥିବାରୁ ଲୋକେ ଏହି ଦୂଷିତ ପାଣିକୁ ପାନୀୟଜଳ ଭାବେ ଗ୍ରହଣ କରି ନାନା ପ୍ରକାର ରୋଗର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏହାକୁ ବନ୍ଦ କରିବାକୁ ଦଳିତ ଆଦିବାସୀ ମହାସଂଘ ସଭାପତି ବିଦେଶୀ ନାଏକ, ଦିଲ୍ଲୀପ କୁମାର ନାଏକ, ଶରତ କୁମାର ନାଏକ ତଥା ସମାଜସେବୀ, ପରିବେଶବିତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଆଗାମୀ ଦିନରେ ଉକ୍ତ ରେଳ ସାଇଡିଂ ବନ୍ଦ କରା ନ କଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here