ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ!

0
61

ଭୁବନେଶ୍ୱର : ଦିନେ ବ୍ୟବଧାନରେ ପରେ ପୁଣି ଲେଉଟିଛି ତାତି। କାଲି ରାଜ୍ୟର ୩ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ତେବେ ଆଜି ସର୍ବାଧିକ ଉତ୍ତପ୍ତ ସହର ରହିଛି ଝାରସୁଗୁଡ଼ା। ଏଠାରେ ୪୫.୨ ଡିଗ୍ରୀ ରହିଛି।

ତେବେ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ତାତି କମ୍‌ ରହିବାର ସମ୍ଭାବନା ରହିଛି। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୮ ତାରିଖ ଯାଏ ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା‌ ରହିଛି। ଯେଉଁଥିପାଇଁ ତାପମାତ୍ରା ସାମାନ୍ୟ କମିବ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରି ତଳକୁ ଖସିଆସିବ। ଗତକାଲି ରାତିରେ ଖୋର୍ଧା, ପୁରୀ, କଟକ, ନୟାଗଡ଼ ପ୍ରଭୃତି ଜିଲ୍ଲାରେ କାଳ‌ବୈଶାଖୀ ବର୍ଷା ଲାଗିରହିଛି। ଝଡ଼ବର୍ଷା ସହ କେତେକ ସ୍ଥାନରେ ବଜ୍ରପାତ ହୋଇଥିବା ଖବର ମିଳିଛି।

ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବା‌ୟୁ ପ୍ରବାହକୁ ନେଇ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ଯଦି ୭ ତାରିଖ ଦିନ ମୌସୁମୀ କେରଳ ଛୁଇଁବ ତେବେ ରଜ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ୮ରୁ ୧୭ ତାରିଖ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ରଜ ପରେ ‌ଓଡ଼ିଶା ଛୁଇଁବ ମୌସୁମୀ। ଅବଶ୍ୟ ୬ରୁ ୮ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଏହା ପ୍ରାକ୍‌ ମୌସୁମୀ ବର୍ଷା ନୁହେଁ। ୬ ତାରିଖରେ କେରଳ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଏହାଦ୍ବାରା ଆରବ ସାଗର ଶାଖାରେ ମୌସୁମୀ ବାୟୁ ସକ୍ରିୟ ହେବ। ଫଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ଉପକୂଳ ମହାରାଷ୍ଟ୍ର ଅର୍ଥାତ୍‌ ଜୁନ୍‌ ୧୦ ସୁଦ୍ଧା ମୁମ୍ବାଇ ଛୁଇଁବ। ତେବେ ଏହାପରେ ଗୋଟିଏ ସପ୍ତାହ ଲାଗି ମୌସୁମୀ ସ୍ଥିର ରହି‌ବ। ଆଗରୁ ଭୁବନେଶ୍ବର ଓ ମୁମ୍ବାଇ ସହରରେ ମୌସୁମୀ ଏକ ସମୟରେ ପ୍ରବେଶ କରିଥାଏ। ତେ‌ବେ ଏଥର ଭୁବନେଶ୍ବର ବହୁ ପଛରେ ରହିବ ‌ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here