ଯାତାୟାତ ଅଭାବରୁ ପାଠ ପଢାରେ ଡୋରି ବାନ୍ଧୁଛନ୍ତି ପିଲା

0
83

କେନ୍ଦୁଝର(ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ ) : ପ୍ରଶାସନିକ ସୁବିଧା ଦୃଷ୍ଟିରୁ ୧୯୯୯ରେ ଗୁଆଲି ପଞ୍ଚାୟତରୁ ପୃଥକ କରାଯାଇ ବଲାଣୀ ପଞ୍ଚାୟତରେ କୋହ୍ଲ-ପଣ୍ଡୁଳିକୁ ସାମିଲ କରାଯାଇଥିଲା । ୨୦୧୪ ଡିସେମ୍ବରରେ ଗ୍ରାମ ଉପକଣ୍ଠରେ ୨୫ ମହିଳାଙ୍କ ସମେତ ୬୦ ମାଓବାଦୀ ସଂରକ୍ଷିତ ଜଙ୍ଗଲ ଇଲାକାରେ ରହୁଥିବା ଘଟଣାରୁ କୋହ୍ଲ-ପଣ୍ଡୁଳି ଗ୍ରାମ ଜିଲ୍ଲା ପ୍ରଶାସନର ନଜରକୁ ଆସିଥିଲା । ଉକ୍ତ ଅଞ୍ଚଳଟି ହାତୀ ଉପଦ୍ରୁତ ଅଞ୍ଚଳ ରୂପେ ମଧ୍ୟ ପରିଚିତ । ତେବେ ଏହି ଅଞ୍ଚଳକୁ ସ୍ଥାୟୀ ଯୋଗାଯୋଗ, ବିଦୁ୍ୟତ୍ ଆଲୋକ, ପାଣି ନଥିବା ସହିତ ଅନ୍ୟାନ୍ୟ ସୁବିଧା ଗୁଡିକରୁ ମଧ୍ୟ ଲୋକେ ବଞ୍ଚିତ ହୋଇଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ୨୦୧୫ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଜିଲ୍ଲା ପ୍ରଶାସନ ଅତି ତରବରିଆ ଭାରେ ଯୋଡା ବ୍ଲକ୍ ଅନ୍ତର୍ଗତ ବଡକାଳିମାଟି ପଞ୍ଚାୟତର ପୀଢପୋଖରୀ, ବାଲାଗୁଡା ପଞ୍ଚାୟତର ଉଲ୍ଲିବୁରୁ, ଚମକପୁର ପଞ୍ଚାୟତର ଗୁଗୁଦରି ସମେତ କୋହ୍ଲ-ପଣ୍ଡୁଳିକୁ ଆଦର୍ଶ ଗ୍ରାମ ରୂପେ ଘୋଷଣା କରିଥିଲେ । ଏପରିକି ଆଇଏପି ଅନୁଦାନ ଅର୍ଥର ୫୦ ଲକ୍ଷ ଟଙ୍କା ବିନିଯୋଗରେ ଗୁଆଲି ପଞ୍ଚାୟତର କେନ୍ଦୁଢି ଗ୍ରାମରୁ ଭାୟା କୋହ୍ଲ-ପଣ୍ଡୁଳି ଗ୍ରାମ ଦେଇ ହରମଠ ଗ୍ରାମକୁ ଏକ ସଂଯୋଗ ରାସ୍ତା ମଧ୍ୟ ନିର୍ମାଣ ନିମନ୍ତେ ତକ୍ରାଳୀନ ଜିଲ୍ଲାପାଳ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଆର୍ଡି ବିଭାଗ ଦ୍ୱାରା ମାପଚୁପ ସମ୍ପନ୍ନ କରାଯାଇ ଜିଲ୍ଲା ଯୋଜନା କାର୍ଯ୍ୟାଳୟରୁ ସମ୍ପୃକ୍ତ ପ୍ରକଳ୍ପ ସମ୍ବନ୍ଧୀୟ ଆବଶ୍ୟକ ଅନୁମୋଦନ ପ୍ରାପ୍ତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନଥିବା ଘଟଣା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱୀତ କରିଛି । ଆଦର୍ଶ ଗ୍ରାମ ଘୋଷଣାକୁ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ ।
ଅନ୍ୟପକ୍ଷରେ ୪୧୭ ଜନସଂଖ୍ୟା ବିଶିଷ୍ଟ କୋହ୍ଲ-ପଣ୍ଡୁଳି, ୬୨୨ ଜନସଂଖ୍ୟା ବିଶିଷ୍ଟ ପୀଢପୋଖରୀ ତଥା ୬୨ ପରିବାର ଗୁଗୁଦରି, ୧୪୮ ପରିବାର ବସବାସ କରୁଥିବା ଉଲ୍ଲିବୁରୁ ଗ୍ରାମବାସୀ ଆର୍ଥôକ, ସାମାଜିକ ଓ ବ୍ୟବସ୍ଥାଗତ ମାନଚିତ୍ରରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ । ତେବେ କୋହ୍ଲ-ପଣ୍ଡୁଳି ଗ୍ରାମ ଅଧିବାସୀଙ୍କ ଦୁର୍ଗତି ସର୍ବାଧିକ । ଉତ୍ତର ଓ ଦକ୍ଷୀଣ ଦିଗରେ କାରୋ ସଂରକ୍ଷିତ ଜଙ୍ଗଲ, ପଶ୍ଚିମରେ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଓ ପୂର୍ବରେ ଲେକଡାଘାଟ ସଂରକ୍ଷିତ ଜଙ୍ଗଲ ରହିଛି । ଏହି ସୀମାନ୍ତ ଗ୍ରାମରୁ ପଞ୍ଚାୟତ ମୁଖ୍ୟାଳୟ ଦୂରତା ୧୭ କିମି ଓ ପଞ୍ଚାୟତ ସମିତି ମୁଖ୍ୟାଳୟ ଦୂରତା ୩୫ କିମି ହୋଇଥିବା ଏବଂ ଜିଲ୍ଲା ସଦର ମହକୁମା ଦୂରତା ୧୦୮ କିମିରୁ ଅଧିକ ରହିଛି । ସଂଯୋଜିତ ଅସ୍ଥାୟୀ ରାସ୍ତା ସହ ଯାନବାହାନର ବ୍ୟବସ୍ଥା ଉପଲବ୍ଧ ନଥିବାରୁ ପ୍ରାୟ ୪ କିମି ପାଦଚଲା ରାସ୍ତାରେ ଯିବାକୁ ହୋଇଥାଏ । କିରିବୁରୁ-ବଲାଣୀ ମୁଖ୍ୟ ରାସ୍ତାରେ ପହଞ୍ଚô ବସ୍ ଧରିବାକୁ ପଡୁ ଥିବାରୁ ବର୍ଷା ଓ ଶୀତ ଦିନରେ ସମସ୍ୟା ଅଧିକ ଜଟିଳ କରିପକାଏ ଲୋକଙ୍କୁ । ଏପରିକି ଗହମ, ଚାଉଳ ଓ କିରାସିନି ଆଣିବାକୁ ଯିବାକୁ ହେଲେ ନିଜର ପୈତୃକ ପ୍ରାଣକୁ ବାଜି ଲଗାଇ ଏଲିଫେଣ୍ଟ କରିର୍ଡର-୨ ରାସ୍ତାକୁ ଅତିକ୍ରମ କରିବାକୁ ହୁଏ । ଏଭଳି ସଙ୍କଟାପର୍ଣ୍ଣ ସ୍ଥିତିରେ ଗ୍ରାମରେ ୧୯୯୯ରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ପିଲା ମାନଙ୍କର ପାଠ ପଢାରେ ଡୋରି ବାନ୍ଧୁଥିବା ବୁଧୁରାମ ମୁଣ୍ଡା ପ୍ରକାଶ କରିଛନ୍ତି । ମୋଟାମୋଟି ଭାବେ ନାହିଁ ନାହିଁରେ କୋହ୍ଲ-ପଣ୍ଡୁଳି ଅଞ୍ଚଳବାସୀ ରହିଥିବା ବେଳେ କେବେ ସେମାନଙ୍କ ଏ ଦୁଃଖଦୁର୍ଦ୍ଦଶା ଦୂର ହେବ ସେ ନେଇ ଚାତକ ପରି ଚାହିଁ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here