ମାତିଲେ ଚୋର, ଟାର୍ଗେଟରେ ବଡ଼ବିଲ କଲେଜ୍ , ସିସିଟିଭିରେ ଚୋରଙ୍କ ଚେହେରା

0
118

କେନ୍ଦୁଝର: (ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ) ବଡ଼ବିଲରେ ମାତିଛନ୍ତି ଚୋର । କେତେବେଳେ ଝରକା ଗ୍ରିଲ ତାଡ଼ି ତ କେତେବେଳେ ସଟର ତାଡ଼ି ଏମିତି ବିଭିନ୍ନ ଉପାୟରେ ଚୋରି କରି ଲୋକଙ୍କ ନିଦ ହଜାଇ ଦେଉଛନ୍ତି । ବାଇକ୍ ଚୋରି ଠାରୁ ଆରମ୍ଭ କରି ହାଇଭା ପର୍ଯ୍ୟନ୍ତ, କିଛି ବି ଛାଡ଼ୁ ନାହାନ୍ତି । ମଝିରେ ମଝିରେ କିଛି ଚୋରଙ୍କୁ ପୋଲିସ ଧରୁଛି ସତ ହେଲେ ଲାଗୁଛି ଚୋରଙ୍କୁ ଯେମିତି କିଛି ବି ଫରକ ପଡ଼ୁନାହିଁ । ୱାଚମ୍ୟାନ୍ କିମ୍ବା ସିସିଟିଭିକୁ ଭୟ କରୁ ନାହାନ୍ତି ଚୋର ।
କିଛି ଚୋର ଏବେ ବଡ଼ବିଲ କଲେଜକୁ ଟାର୍ଗେଟ୍ କରିବା ପରି ଜଣାପଡ଼ୁଛି । ଗତ ୩ ମାସ ପୂର୍ବେ ବଡ଼ବିଲ କଲେଜର ଫିଜିକ୍ସ ଏବଂ କେମେଷ୍ଟ୍ରି ବ୍ଲକ୍ ଓ ନୂତନ ଲାଇବ୍ରେରୀରୁ ବାଥରୁମ୍ ପାଇପ୍ ଫିଟିଙ୍ଗ୍ ସବୁ ଚୋରି କରି ନେଇଯିବା ପରେ ଗତକାଲି ଦିବାଲୋକରେ ବଡ଼ବିଲ କଲେଜ୍ ବିଲ୍ଡିଂରେ ପଶି ୪ଟି ଫ୍ୟାନ୍ ଚୋରି କରିନେଇଛନ୍ତି । ଚୋରି ସମୟର ସମସ୍ତ ଘଟଣା କଲେଜରେ ଲାଗିଥିବା ସିସିଟିଭିରେ ରେକର୍ଡିଂ ହୋଇଛି । ସିସିଟିଭି ଫୁଟେଜରୁ ଯାହା ଜଣାପଡ଼ୁଛି, ଦିନ ୧୨ଟା ୨୪ ମିନିଟ୍ ସମୟରେ ୨ ଜଣ ଚୋର କଲେଜ୍ ବିଲ୍ଡିଂ ଭିତରେ ପଶି ମାତ୍ର ୨୪ ମିନିଟ୍ ଭିତରେ ୪ଟି ଫ୍ୟାନ୍ ଖୋଲିନେଇ ଅନାୟସରେ ଚାଲିଯାଇଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଯେ, ଘଟଣା ସମୟରେ ୨ଜଣ ୱାଚମ୍ୟାନ୍ କଲେଜ୍ ପରିସରରେ ଡ୍ୟୁଟି କରୁଥିଲେ ସୁଦ୍ଧା ସେମାନେ ଏହା ଜାଣିପାରି ନ ଥିଲେ । ଆଜି ସକାଳୁ କଲେଜ୍ ଖୋଲାଯିବା ପରେ ଫ୍ୟାନ୍ ଚୋରି ହେବାନେଇ ଜଣାପଡ଼ିଥିଲା । ତେବେ ଏନେଇ ଆଜି ସଂଧ୍ୟା ୬ଟା ସମୟରେ କଲେଜର ପ୍ରିନ୍ସିପାଲ୍ ମନମୋହନ ବଳିଆର ସିଂ ଓ ଅନ୍ୟ କର୍ମଚାରୀମାନେ ଏତଲା ଦେବା ପାଇଁ ବଡ଼ବିଲ ଥାନାକୁ ଯାଇଥିବା ସମୟରେ ୨ଜଣ ଦୃବୃର୍ତ୍ତ କଲେଜ୍ ବିଲ୍ଡିଂ ଭିତରକୁ ପଶିବାର ସୂଚନା ପାଇଥିଲେ । ୨ ଦୃବୃର୍ତ୍ତ ଗଛରେ ଚଢ଼ି ପାଚରୀ ଡେଇଁ କଲେଜ ଭିତରକୁ ପଶୁଥିବାର ଦେଖି ପିଅନ ମନୋରଂଜନ ମହାପାତ୍ର ଏହି ସୂଚନା ଦେଇଥିଲେ । ସୁଚନା ପାଇବା କ୍ଷଣି ଥାନାରୁ ପୋଲିସ କର୍ମଚାରୀ ଓ କଲେଜ୍ କର୍ମଚାରୀ ତୁରନ୍ତ କଲେଜକୁ ଯାଇ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ୨ ଦୃବୃର୍ତ୍ତ ସେଠାରୁ ଦୌଡ଼ି ପଳାଇ ଯିବାକୁ ସକ୍ଷମ ହୋଇଥିଲେ । ତେବେ ଯାହା ସୂଚନା ମିଳିଛି, ଏହି ୨ଜଣ ଦୃବୃର୍ତ୍ତ ପଛପଟ କାନ୍ଥରେ ଚଢ଼ି ବିଲ୍ଡିଂ ଭିତରକୁ ପଶିଥିଲେ ଓ ସାଇନ୍ସ ବ୍ଲକର ଗୋଟିଏ ରୁମରେ ରଡ୍ ପୁରାଇ ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲେ ।କଲେଜ୍ ପକ୍ଷରୁ ଚୋରି ସମୟର ସିସିଟିଭି ଫୁଟେଜ୍ ଥାନାରେ ଦିଆଯାଇଛି । ସିସିଟିଭି ଫୁଟେଜରୁ ଦୃବୃର୍ତ୍ତ ଦ୍ୱୟଙ୍କ ଚେହେରା ଭଲଭାବରେ ଦୃଶ୍ୟମାନ ହେଉଛି, ତେଣୁ ସେମାନଙ୍କୁ ଧରିବାରେ ପୋଲିସକୁ ବେଶି କସରତ କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି । ଏହି ଘଟଣାକୁ ନେଇ ପୋଲିସ ଛାନଭିନ୍ ଆରମ୍ଭ କରି ଚୋରଙ୍କୁ ଚିହ୍ନଟ କରି ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଦେଖାଯାଉ କେବେ ସଫଳତା ମିଳୁଛି ।

LEAVE A REPLY

Please enter your comment!
Please enter your name here