ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପାର୍ଟି ଅଫିସ୍‌ରେ ସ୍ୱାଗତ

0
83

ଭୁବନେଶ୍ୱର: ବିଜେପିର ନବ ନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପାର୍ଟି ଅଫିସ୍‌ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହେବା ପରେ ଗତକାଲି ଅପରାଜିତା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କର୍ମୀ ଏବଂ ନେତାମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ସହ ସ୍ୱାଗତ ଜଣାଇଥିଲେ।

ଏଥର ଭୁବନେଶ୍ୱର ଲୋକସଭା ଆସନରେ ରୋଚକପୂର୍ଣ୍ଣ ଲଢେଇ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଦୁଇ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଅଧିକାରୀ । ହେଲେ ଏହି ଲଢ଼େଇରେ ବିଜେପିରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ୍‌ରେ ହରାଇଛନ୍ତି।

ବିଜୟ ଲାଭ ପରେ ଅପରାଜିତା ଷଡଙ୍ଗୀ କହିଛନ୍ତି, ‘ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଆଗାମୀ ୫ବର୍ଷ ଭିତରେ ଦେଶର ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବାକୁ ଚାହିଁବି। ବିକାଶର କୌଣସି ଦଳ ଓ ଭାଷା  ନଥାଏ । ବିକାଶ ମାନେ ବିକାଶ। ସବୁ ରାଜନୈତିକ ଦଳର ସାହାଯ୍ୟ ନେଇ କାମ କରିବି। ୧୦୦ ପ୍ରତିଶତ ଦେବି।’

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ‘ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବହୁତ କାମ କରିବାର ଅଛି। ଏଠାରେ ୪ଟି ରୁରାଲ ଏରିଆ ଅଛି ଓ ୩ଟି ଅର୍ବାନ  ଏରିଆ ଅଛି। ଉଭୟ ଜାଗାରେ ସମସ୍ୟା ମଧ୍ୟ ଅଲଗା ରହିଛି। ଏହି ୫ମାସ ଭିତରେ ୭୫ ଭାଗ ସ୍ଥାନ ବୁଲି ସାରିଛି। ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଯାଇଛି। ଆଜିଠାରୁ ସେ ଦିଗରେ କାମ ଆରମ୍ଭ କରିବୁ। ବିଶେଷକରି ଡ୍ରେନେଜ ଉପରେ ଧ୍ୟାନ ଦେବୁ, ବୋଲି କହିଛନ୍ତି ଅପରାଜିତା।’

LEAVE A REPLY

Please enter your comment!
Please enter your name here