ଭାରୀଯାନ କବ୍ଜାରେ ମୁର୍ଗାମହାଦେବ ପର୍ଯ୍ୟଟନ ରାସ୍ତା,ଧାର୍ଯ୍ୟ ସମୟସୀମା ପରେବି ସରିପାରିଲାନି କାମ

0
73

କେନ୍ଦୁଝର (ସଂଜୀବ ସାହୁ/ଆଦ୍ୟାଶ ନିଉଜ):ଯୋଡା ବ୍ଲକ ଦେଓଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଲେଇପଦାରୁ ଝାଡଖଣ୍ଡ ରାଜ୍ୟ ସୀମାନ୍ତ ନୂଆମୁଣ୍ଡି ପର୍ଯ୍ୟନ୍ତ ପ୍ରକଳ୍ପିତ ୧୦ କି.ମି. ରୁ ୨୦୦ମି. ରାସ୍ତାର କାର୍ଯ୍ୟାଦେଶ ତାରିଖ ଶେଷହୋଇ ଯାଇଥିଲେ ମଧ୍ୟ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ହୋଇ ନପାରିବା ଅତ୍ୟନ୍ତ ପରିତାପର ବିଷୟ । ଡିଷ୍ଟ୍ରିକ୍ ମିନେରାଲ୍ସ ଫାଉଣ୍ଡେସନ ଫଣ୍ଡର ପ୍ରାୟ ୨୬ କୋଟିରୁ ଊଦ୍ଧ୍ୱର୍ ବ୍ୟୟ ଅଟକଳ ଦ୍ୱାରା ନିର୍ମାଣଧୀନ ରାସ୍ତାରେ ୨୨କୋଟିରୁ ଊଦ୍ଧ୍ୱର୍ ଅନୁବନ୍ଧିତ ମୂଲ୍ୟ ବିନିଯୋଗ କରିବା ନେଇ ବ୍ୟୟ ଅଟକଳ ରହିଥିଲା । ତେବେ ଉଭୟ ଓଡ଼ିଶା ଓ ଝାଡଖଣ୍ଡ ରାଜ୍ୟ ସୀମାନ୍ତ ଇଲାକାକୁ ସଂଯୋଗ ସହ ପ୍ରସିଦ୍ଧ ପ୍ରାଚୀନ ଶୈବପୀଠ ମୁର୍ଗାମହାଦେବ ମନ୍ଦିର ପରିଦର୍ଶନ ଏବଂ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ରୂପେ କାର୍ଯ୍ୟ କରିଥାନ୍ତା । ରାସ୍ତାଟି ଅଧପନ୍ତରିଆ ଅବସ୍ଥାରେ ପଡିରହିବା ଯୋଗୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯୋଡା ଭଳି ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଅନୁସୂଚିତ ବ୍ଲକ୍ରେ ବେଆଇନ ଢଙ୍ଗରେ ରାସ୍ତା ସମ୍ପ୍ରସାରଣ କରିବାରେ ଯେଉଁ ଭଳି ଭାବେ ତତ୍ପରତା ପ୍ରକାଶ ପାଇବା କଥା ତାହା ଦେଖାନଯିବା ନେଇ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି । ବିଲେଇପଦା-ନୂଆମୁଣ୍ଡି ରାସ୍ତା ଭାୟା ମୁର୍ଗା ମହାଦେବ ରାସ୍ତାର ଉନ୍ନତି କରଣ ନିମନ୍ତେ ୨୦୧୭ ଡିସେମ୍ବର ୧୮ରୁ ଆରମ୍ଭ ହୋଇଥିବା ରାସ୍ତା ୧୭.୩.୨୦୧୯ ସୁଦ୍ଧା କାର୍ଯ୍ୟଶେଷ ହେବା କଥା କିନ୍ତୁ ସେପରି କୌଣସି ମନ୍ଥରତା ନଥିବା ଅଭିଯୋଗ ହୋଇଛି ।
ଗତ ବର୍ଷ ୨୭ ଜୁଲାଇରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଚମ୍ପୁଆ ରାସ୍ତା ଓ ଗୃହ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଓଏଏଇ, ତକ୍ରାଳୀନ ବଡବିଲ ତହସିଲଦାର, ତକ୍ରାଳୀନ ଯୋଡାଗୋଷ୍ଠୀ ଉନ୍ନୟନ ଅଧିକାରୀ, ତକ୍ରାଳୀନ ଯୋଡା ମଙ୍ଗଳସମ୍ପ୍ରସାରଣ ଅଧିକାରୀ, ବିଲେଇପଦା ରାଜସ୍ୱ ନୀରିକ୍ଷକ, ବିଲେଇପଦା ଫରେଷ୍ଟରଙ୍କ ଉପସ୍ଥିତିରେ ଦେଓଝର ପଞ୍ଚାୟତ କୀର୍ଯ୍ୟାଳୟ ପରିସରରେ ଆହୂତ ଗ୍ରାମସଭାରେ ଅଗଷ୍ଟ ୧ରୁ ୫ ମଧ୍ୟରେ ରାସ୍ତା ସମ୍ପ୍ରସାରଣ କାରଣରୁ କ୍ଷତିଗ୍ରସ୍ଥ ଜମିର ପୁନଃର୍ବାର ମାପଚୁପ କରି ସରକାରୀ ଦରରେ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ବଡବିଲ ତହସିଲଦାର ସହମତି ପ୍ରକାଶ କରିଥିଲେ । ତେବେ ସବୁ ପରେ ବି କାମ ଅଧପନ୍ତରିଆ ପଡି ରହିବା ନେଇ ଲୋକେ ଅଭିଯୋଗ କରିବା ସହ ଯାତାୟାତରେ ବାଧା ନେଇ ସାଧାରଣରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଭାଙ୍ଗିରୁଜି ଯାଇଥିବା ବିଲେଇପଦା-ମୁର୍ଗାମହାଦେବ ରାସ୍ତାଟି ଭାରିଯାନ କବ୍ଜାରେ ରହିଥିବା କହିଲେ ଅତୁ୍ୟକ୍ତି ହେବନାହିଁ । ଉକ୍ତ ରାସ୍ତାରେ ବେପରୁଆ ଭାରୀଯାନ ଚଳାଚଳ ଯୋଗୁ ଦୁର୍ଘଟଣାର ବ୍ଲାକ୍ସ୍ପଟ ଭାବେ ଚିହ୍ନିତ ହୋଇ ସାରିଲାଣି । ଦୈନନ୍ଦିନ କିଛି ନା କିଛି ଛୋଟ ବଡ ଦୁର୍ଘଟଣା ଭାରୀଯାନ ଦ୍ୱାରା ଘଟିବା ଏକପ୍ରକାର ଥୟ । ଭାରିଯାନ ଯୋଗୁ ରାସ୍ତାଜାମ୍ରେ ଘଣ୍ଟା ଘଣ୍ଟା ପଡିରହି ଜନସାଧାରଣ ମୁର୍ଗାମହାଦେବ ମନ୍ଦିର ଯିବାକୁ ଡରୁଛନ୍ତି । ସରକାରୀସ୍ତରରେ ମୁର୍ଗାମହାଦେବ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ସଂଯୋଗୀକରଣ ରାସ୍ତା ସହ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ବର୍ଷତମାମ୍ ବିଭିନ୍ନ ସ୍ଥାନରୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବା ସହ ଆକର୍ଷଣୀୟ ଜଳପ୍ରପାତ ଦେଖିବା ନିମନ୍ତେ ଏଠାରେ ଭିଡ ଜମିଥାଏ । ତେବେ ଭିତ୍ତିଭୂମି ବିକାଶ ତଥା ବିପର୍ଯ୍ୟସ୍ତ ରାସ୍ତା ସହ ସଦାସର୍ବଦା ଭାରୀଯାନ ଚଳାଚଳ ଯୋଗୁ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି । ଫଳରେ ପ୍ରସିଦ୍ଧ ଶୈବପୀଠରେ ପର୍ଯ୍ୟଟକଙ୍କ ଆଗମନ ଧୀରେ ଧୀରେ ହ୍ରାସ ପାଉଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ରାଜ୍ୟ ପ୍ରସିଦ୍ଧ ମୁର୍ଗାମହାଦେବ ପର୍ଯ୍ୟଟନସ୍ଥଳୀ ସରକାରୀସ୍ତରରେ ମାନ୍ୟତା ପାଇଥିବା ବେଳେ ଗମନାଗମନର ସୁବିଧା ନିମନ୍ତେ ରାସ୍ତା ଉନ୍ନତିକରଣ ଏଠାରେ ଜରୁରୀ ହୋଇ ପଡିଛି । ଏଣୁ ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁୁ ସାଧାରଣରେ ଦୃଢଦାବି ହେଉଛି ।

LEAVE A REPLY

Please enter your comment!
Please enter your name here