ଭଦ୍ରକ ଜିଲ୍ଲାରେ ବହୁ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ୍‌

0
67

ଭଦ୍ରକ ଜିଲ୍ଲା : (ସୁଶାନ୍ତ ମଲ୍ଲିକ/ଆଦ୍ୟାଶା News) ଭଦ୍ରକ ଜିଲ୍ଲାରେ ବହୁ ହିତାଧିକାରୀଙ୍କ ଖାଉଟି ସାମଗ୍ରୀ ହରିଲୁଟ୍‌ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଇ ଆସୁଛି। ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନହରପୁର ଗାଁର ପାଞ୍ଚାଳୀ ଜେନା ନାମ୍ନୀ ଜଣେ ହତାଧିକାରୀ ୯ ମାସ ଧରି ସାମଗ୍ରୀ ପାଇ ପାରି ନ ଥିଲେ। ଏ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିଲା। ଏ ଗାଁ ନିକଟବର୍ତ୍ତୀ ଭଗବାନପୁର ଗାଁର ସାମାଜିକ କର୍ମୀ ସନ୍ତୋଷ ମହାପାତ୍ର ଏ ନେଇ ସୋମବାର ପୂର୍ବାହ୍ନରେ ଟୁଇଟ୍‌ କରି ଅନହରପୁର ଗାଁର ପାଞ୍ଚାଳୀଙ୍କ ଭଳି ଗରିବ ପରିବାର ରାଶନ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ଧାମନଗର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟୁଇଟ୍‌ ଦେଖି ଯୋଗାଣମନ୍ତ୍ରୀ ଭଦ୍ରକ ଜିଲାପାଳଙ୍କୁ ତୁରନ୍ତ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ଜିଲା ଯୋଗାଣ ଅଧିକାରୀଙ୍କୁ ଉକ୍ତ ଗାଁକୁ ଯାଇ ତଦନ୍ତ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଜିଲା ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀ ଓ ଧାମନଗର ବ୍ଲକ ଯୋଗାଣ ଅଧିକାରୀ ମନୋରଞ୍ଜନ ମହାପାତ୍ର ଅନହରପୁର ଗାଁରେ ପହଞ୍ଚତ୍ ପାଞ୍ଚାଳୀଙ୍କ ଅବସ୍ଥା ବୁଲି ଦେଖିଥିଲେ। ସେ ପ୍ରକୃତରେ ଯୋଗ୍ୟ ହିତାଧିକାରୀ ଓ ତାଙ୍କ ନାଁରେ ରାଶନକାର୍ଡ ଥିବା ଜାଣି ସ୍ଥାନୀୟ ଡିଲରଙ୍କୁ ଡାକି ତାଲିକାରେ ତାଙ୍କ ନଁା ଯାଞ୍ଚ କରାଯାଇଥିଲା। ପାଞ୍ଚାଳୀଙ୍କ ନାଁ ତାଲିକାଭୁକ୍ତ ଥିବା ତଦନ୍ତରୁ ଜଣାପଡିବାରୁ ୨୦୧୮ ଅକ୍ଟୋବର ସେ ପାଇ ନ ଥିବା ୯ ମାସର ୧ କୁଇଣ୍ଟାଲ ୮୦ କେଜି ଚାଉଳ ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଘଟଣାରୁ ସରକାର ଯୋଗାଉଥିବା ଖାଉଟୀ ସାମଗ୍ରୀ କିଭଳି ବାଟମାରଣା ହେଉଛି, ତାହା ପଦାକୁ ଆସିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହାର ତଦନ୍ତ କରି ପାଞ୍ଚାଳୀଙ୍କ ଖାଉଟି ସାମଗ୍ରୀ ଯିଏ ନେଇଛି ତାଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଜିଲା ଯୋଗାଣ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଭଗବାନପୁର ପଞ୍ଚାୟତରେ ଅନ୍ତୋଦ୍ୱୟ, ଅର୍ଣ୍ଣପୂର୍ଣ୍ଣା ଆଦି ଯୋଜନାରେ ବହୁ ପ୍ରିୟାପ୍ରୀତି ତୋଷଣ କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଉଥିବା ଅଭିଯୋଗ ଆସିଛି। ଏହାର ଉଚ୍ଚସ୍ତରୀୟ ଯାଞ୍ଚ କରା ଯାଉବୋଲି ସାଧାରଣରେ ମଧ୍ୟ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here