ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

0
38

ମୁନିଗୁଡ଼ା,- : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀ ହେଲେ କୁମୁଡ଼ାବାଲି ପଞ୍ଚାୟତ ଗୁମୁଡ଼ି ଗ୍ରାମର ଉଆଁସୁ କାଡ୍ରାକାଙ୍କ ଝିଅ ନନ୍ଦିନୀ କାଡ୍ରାକା(୧୨)। ଘଟଣାରୁ ପ୍ରକାଶ, ବୁଧବାର ରାତିରେ ସବୁଦିନ ଭଳି ବିଦ୍ୟାଳୟର ୧୩୦ ଛାତ୍ରୀ ଖାଇ ସାରିବା ପରେ ହାତ ଧୋଇବାକୁ ଯାଇଥିଲେ। ଏହି ସମୟରେ କାନ୍ଥରେ ଓହଳିଥିବା ଏକ ବିଦ୍ୟୁତତାର ସଂସ୍ପର୍ଶରେ ଆସିଥିଲେ ନନ୍ଦିନୀ। ଏହା ଦେଖି ଅନ୍ୟ ଛାତ୍ରୀମାନେ ବୁଦ୍ଧି ଖଟାଇ ଚପଲରେ ତାରକୁ ଆଘାତ ଦେବାରୁ ନନ୍ଦିନୀ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ବିଦ୍ୟାଳୟର କର୍ମଚାରୀମାନେ ନନ୍ଦିନୀଙ୍କୁ ମୁନିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସବ୍ୟସାଚୀ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଖବର ପାଇ ଡାକ୍ତରଖାନାରେ ପହଞ୍ଚିବାବେଳକୁ ଝିଅର ମୃତଦେହ ଦେଖିଥିଲେ ବୋଲି କହିଛନ୍ତି ଉଆଁସୁ କାଡ୍ରାକା। ଖବର ପାଇ ରାୟଗଡ଼ା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଡିପିସି ସୁରେନ୍ଦ୍ର ସାଠୁଆ, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଡ. ଶ୍ରବଣ ବିବେକ ଏମ୍‌, ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା, ମୁନିଗୁଡ଼ା ବ୍ଲକ ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଥାନା ଆଇଆଇସି ରାଜେନ୍ଦ୍ର ଦେହୁରୀ ପ୍ରମୁଖ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ କୁମୁଡ଼ାବାଲି କସ୍ତୁରବା ବାଳିକା ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ଅନ୍ୟପକ୍ଷରେ ଉଆଁସୁ ବିଦ୍ୟାଳୟର ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ମୁନିଗୁଡ଼ା ଥାନାରେ ଅଭିଯୋଗ କରିଥିବା ଏସ୍‌ଡିପିଓ ହୋତା ପ୍ରକାଶ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହେବା ସହ ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼ଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ହୋତା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here