ବସୁମତୀଙ୍କ ନିଆରା ଜଡ଼ିବୁଟି ଚିକିତ୍ସା

0
115

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ ନିଉଜ): ଦିନକୁ ଦିନ ଏଲୋପାଥିକ ଚିକିତ୍ସାକୁ ରୋଗୀ ଆପଣେଇ ନେଉଥିବା ବେଳେ ଏବେ ବି ମଧ୍ୟ ପାରମ୍ପାରିକ ଜଡିବୁଟି ଉପରେ ଭରସା କରୁଛନ୍ତି ଅନେକ ଲୋକ। ପୁରୁଷାନୁକ୍ରମେ ଚାଲି ଆସିଛି ପାରମ୍ପାରିକ ଆୟୁର୍ବେଦିକ ଚିକିତ୍ସା। କମ ଅର୍ଥ ବ୍ୟୟରେ ଏହି ଚିକିତ୍ସା ମିଳୁଥିବା ବେଳେ ଏହାର ଆଦର ଓ ବିଶ୍ୱାସ ଏବେ ବି ବଳବତ୍ତର ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ରଙ୍ଗାମାଟିଆ ପଞ୍ଚାୟତର ବାଙ୍କିଆ ଗ୍ରାମର ବସୁମତୀ ମହାନ୍ତ। ବୟସ ୫୪ ହେଲେ ବି ଆୟୁର୍ବେଦିକ ଚିକିତ୍ସାରେ ସେ ଖୁବ୍‌ ପାରଙ୍ଗମ।
ପୁରାତନ ଯେ କୌଣସି ଶ୍ୱାସ ଓ ଯକ୍ଷ୍ମା ରୋଗର ଚିକିତ୍ସା କରି ସେ ଚର୍ଚ୍ଚାକୁ ଆସିଛନ୍ତି। ଶାଶୁ ସାଗରୀ ମହାନ୍ତଙ୍କ ଠାରୁ ସେ ଏହି ବିଦ୍ୟା ଶିକ୍ଷା କରିଥିଲେ। ଗ୍ରାମ ଠାକୁରଙ୍କୁ ମାନସିକ କରି କେତେକ ଚେର ଓ ମୂଳ ମିଶାଇ ଦୁଇଟିପାନ ରୋଗୀକୁ ସେ ଖାଇବାକୁ ଦେଇଥାନ୍ତି। ରୋଗୀ ଭଲ ହେଲେ ତାଙ୍କ ମାନସିକ ପୂରଣ କରିଥାନ୍ତି। ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଭଲ କରିଥିବା କୁହନ୍ତି ବସୁମତୀ। ସ୍ବାମୀ ଓ ଶାଶୁ ଆରପାରିକୁ ଚାଲିଗଲା ପରେ ମଧ୍ୟ ଏହି ଚିକିତ୍ସା ସେ ଚାଲୁ ରଖିଛନ୍ତି। ବସୁମତୀଙ୍କ ପାଖକୁ ମୟୂରଭଞ୍ଜ, ଢେଙ୍କାନାଳ, ଝାଡଖଣ୍ଡ ଓ ଓଡିଶାର ବିଭିନ୍ନ ସ୍ଥାନରୁ ରୋଗୀମାନେ ଆସି ଔଷଧ ନେଇ ଭଲ ହୋଇଥିବା ସେ କହିଛନ୍ତି। ଗାଁ ଗହଳି ଗୁଡିକରେ ଲୋକମାନଙ୍କ ପାଇଁ ଏହି ପାରମ୍ପାରିକ ଚିକିତ୍ସା ମହୌଷଧୀ ପାଲଟି ଥିବାବେଳେ ଲୁପ୍ତ ହୋଇ ଆସୁଥିବା ଏହି ପାରମ୍ପାରିକ ଚିକିତ୍ସାକୁ ସଚେତନ ନାଗରିକମାନେ ଆଗକୁ ଆଣି ପାରିଲେ ଏହାର ଉନ୍ନତି ସାଧନା ହେବ ବୋଲି ଜଣାଯାଇଛି।

LEAVE A REPLY

Please enter your comment!
Please enter your name here