ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଉ ନାହାନ୍ତି

0
66

ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ। ମଙ୍ଗଳବାର ଦିଲ୍ଲୀ ଏମ୍ସରେ ତାଙ୍କର ୬୭ବର୍ଷ ବୟସରେ ମୃତ୍ୟୁ ହୋଇଛି।

ସୂଚନା ମୁତାବକ , ସୁଷମାଙ୍କୁ ହୃଦ୍‌ଘାତ ହେବା ଫଳରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଖବର ପାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ଏମ୍ସରେ ପହଞ୍ଚିଥିଲେ। ସୁଷମାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

‘ପ୍ରଧାନମନ୍ତ୍ରୀ ଜୀ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନକୁ ଦେଖିବା ପାଇଁ ଅପେକ୍ଷା କରିଥିଲି।’ ସମୟ ସନ୍ଧ୍ୟା ୭ଟା ୨୩ମିନିଟ୍‌। ମଙ୍ଗଳବାର ୬ ଅଗଷ୍ଟ ୨୦୧୯। ଲୋକସଭାରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସଂକଳ୍ପପତ୍ର ଓ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଗୃହୀତ ହେବାପରେ ଏହା ଥିଲା ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଐତିହାସିକ ପଦକ୍ଷେପ ପାଇଁ ଶୁଭେଚ୍ଛା ଜଣାଇ ଶେଷ ଟ୍ବିଟ୍‌।

୧୯୫୩ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ ହରିୟାଣା ସ୍ଥିତ ଅମ୍ବାଲା କାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋର ସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଧା ଥିଲେ। ସେ ଅମ୍ବାଲା ସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତିକବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।

ଇନ୍ଦିରାଗାନ୍ଧୀଙ୍କ ପରେ ସ୍ୱରାଜ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଛନ୍ତି। ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତା ମଧ୍ୟ । ସେ ୭ ଥର ସଂସଦର ସଭ୍ୟ ହିସାବରେ ଏବଂ ତିନି ଥର ଆଇନ୍ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଛନ୍ତି।

ସୁଷମା୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର ସବୁଠୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦାନ ଦେଇଥିଲେ। ସେ ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ। ୨୦୧୪ ମସିହାରେ ସେ ଇଣ୍ଡିଆନ ଜେନେରାଲ ଇଲେକ୍ସନରେ, ଦ୍ୱିତୀୟ ଥର ପାଇଁ vidisha ନିର୍ବାଚନ ମଣ୍ଡଳୀରେ ମଧ୍ୟପ୍ରଦେଶରେ ଜିତିଥିଲେ।

ସୁଷମାଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here