‘ଦାବି ପୂରଣ ନ ହେଲେ ଭୋଟ ବର୍ଜନ’

0
93

କେନ୍ଦୁଝର,  (ଆଦ୍ୟାଶା ନ୍ୟୁଜ) : ମୌଳିକ ସୁବିଧାରୁ ବଞ୍ଚିତ ବାଂଶପାଳ ବ୍ଲକର କେନ୍ଦୁଘାଟି ଓ କାଶିଆ ଗ୍ରାମର ଲୋକମାନେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବା ସହ ପ୍ରଚାର ପାଇଁ ନେତାଙ୍କୁ ଗ୍ରାମରେ ପୂରାଇ ଦେବେନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ନିଷ୍ପତ୍ତି ଗ୍ରାମରେ ଅନୁଷ୍ଠିତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ନେଇଥିବା ଜଣାପଡିଛି। ଏନେଇ ସୋମବାର ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ସରକାର ମହିଳାମାନଙ୍କ ବିକାଶ ପାଇଁ ସେମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାବେଳେ କେନ୍ଦୁଘାଟିର ମହିଳାମାନଙ୍କ ଦୁଃଖ ଶୁଣୁ ନ ଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବୈତରଣୀ ନଦୀ ଘେରରେ ଥିବା ଏହି ଗ୍ରାମକୁ ପୋଲ ଟିଏ ନାହିଁ । ସେମାନଙ୍କ ଦୁଃଖ ପାଲଟିଛି ବୈତରଣୀ ନଦୀ। ଏହି ଗ୍ରାମରେ ପାଖାପାଖି ୧୭ ଶହ ଓ ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜୀବନଜୀବିକା ପାଇଁ ଚାଷ ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା କହିଛନ୍ତି। ତେବେ ପଞ୍ଚାୟତକୁ ଚାଉଳ ପାଇଁ ଗଲେ ବା ଚାଷ ଓ ଜଙ୍ଗଲଜାତ ସାମଗ୍ରୀ ବିକ୍ରି ବଟା କରିବାକୁ ହେଲେ ବୈତରଣୀ ବାଧକ ସାଜୁଥିବାରୁ ସେମାନେ ଅକଥନୀୟ ଅସୁବିଧା ଭୋଗୁଥିବା କହିଛନ୍ତି। ହାଟବଜାର, ଡାକ୍ତରଖାନା, ସ୍କୁଲ ଓ କଲେଜ ଆଦି ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିବା ବେଳେ ଆଷାଢ଼ ମାସ ଆସିଲେ ସେମାନଙ୍କ ମନରେ ଭାଲେଣି ପଡ଼ିଯାଏ।

ଏକ ପକ୍ଷରେ ବୈତରଣୀ ନଦୀ କୂଳ ଖାଉଥିବାର ଭୟ ଅନ୍ୟପକ୍ଷରେ ନଦୀ ପାର ହେବାର ଭୟ ଘାରିଥାଏ। ପାଣି ଦେଇ ଆମ୍ବୁଲାନ୍ସ ଯାଇପାରେ ନାହିଁ। ସେଥିଲାଗି ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ନଦୀରେ ପାଣି ବଢ଼ିଲେ ଡଙ୍ଗା ହିଁ ଏକମାତ୍ର ସାହା ଭରସା ହୋଇଥାଏ। ଏହି ଡଙ୍ଗାରେ ଯାତାୟାତ ମଧ୍ୟ ବିପଜ୍ଜନକ ହୋଇଥାଏ। କିନ୍ତୁ ଏଥିପ୍ରତି ପ୍ରଶାସନର ସ୍ଥାନୀୟ ନେତାଙ୍କ ପ୍ରତି ଦୃଷ୍ଟି ପଡୁ ନ ଥିବାରୁ ସେମାନେ ଅକଥନୀୟ ଅସୁବିଧା ଭୋଗୁଛନ୍ତି। ତିନି ବର୍ଷ ତଳେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା କିନ୍ତୁ ନିର୍ମାଣ ହୋଇ ପାରିଲା ନାହିଁ। ଦାବି କଲେ ବହୁ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ବାସ୍ତବ ଦୁଃଖ କେହି ବୁଝୁନାହାନ୍ତି। ଏଣୁ ଦାବିପୂରଣ ନ ହେଲେ ସରକାରଙ୍କ ବିରୋଧରେ ଭୋଟ ଦେବୁ ନାହିଁ ବୋଲି ନିଷ୍ପତ୍ତି ନେବା ସହ ଭୋଟ ପାଇଁ ଆସୁଥିବା ନେତାଙ୍କୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବୈଠକରେ ମା ବୈତରଣୀ, ମା’ ବୃନ୍ଦାବତୀ, ମା’ ମଙ୍ଗଳା, ଜୟ ମା’ ତାରିଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସୁମିତ୍ରା ମୁଣ୍ଡା, ଗୋଲାପ ମୁଣ୍ଡା, ପୂର୍ଣ୍ଣମୀ ମୁଣ୍ଡାଙ୍କ ସମେତ ଶତାଧିକ ମହିଳା ସଦସ୍ୟା ଉପସ୍ଥିତ ରହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏନେଇ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଆଇନଜୀବୀ ତଥା ସାମାଜିକ କର୍ମୀ ଦୈତାରୀ ଆପଟ କହିଛନ୍ତି।

LEAVE A REPLY

Please enter your comment!
Please enter your name here