ଢେଙ୍କାନାଳରେ ପହଞ୍ଚିଲା ସହିଦ ଅଜିତ ସାହୁଙ୍କ ପାର୍ଥିବ ଶରୀର

0
67

ଭୁବନେଶ୍ୱର: ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର ଆଜି ସକାଳେ ଢେଙ୍କାନାଳରେ ପହଞ୍ଚିଛି। ଏଠାରେ ଥିବା ମିନି ଷ୍ଟାଡିୟମ୍‌ରେ ସହିଦଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଏହାପରେ ଅଜିତଙ୍କ ମରଶରୀର ତାଙ୍କ ଜନ୍ମମାଟି କାମାକ୍ଷାନଗର ବ୍ଲକ୍‌ ବଡ଼ସୁଆଳ ଗାଁ ଅଭିମୁଖେ ଯିବ।

ଗତକାଲି ରାତି ପ୍ରାୟ ସାଢେ ଗୋଟାଏରେ ଅଜିତ ସାହୁଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିଥିଲା। ଏହାପରେ ସହିଦଙ୍କ ମରଶରୀରକୁ ୧୨୦ ବାଟାଲିୟାନକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାସହ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଏହାସହ ବିଜେପି ଏବଂ ୧୨୦ ବାଟାଲିୟାନ ପକ୍ଷରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ସୂଚନାଯୋଗ୍ୟ, ସୋମବାର ଜମ୍ମୁ ଓ କଶ୍ମୀରର ପୁଲୱାମା ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଯିବା ବେଳେ ଆଇଇଡି ବିସ୍ଫୋରଣ ହୋଇଥିଲା।ଏଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ ହୋଇଥିଲେ।

୨୦୧୫ ମସିହାରେ ଅଜିତ୍ ସେନାରେ ସାମିଲ ହୋଇଥିଲେ। କିଛି ଦିନ ତଳେ ଜମ୍ମୁ ଓ କଶ୍ମୀରକୁ ତାଙ୍କ ବଦଳି ହୋଇଥିଲା।

LEAVE A REPLY

Please enter your comment!
Please enter your name here