କୁସୁମ ମଞ୍ଜିରୁ ତେଲ ସଂଗ୍ରହ

0
81

କେନ୍ଦୁଝର(ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ ) : ବଡବିଲ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଠାକୁରାଣୀ, ସିଦ୍ଧମଠ, କାରୋ, ଉଲ୍ଲିବୁରୁ ସମେତ ରାଜ୍ୟ ସୀମାନ୍ତ ସରଣ୍ଡା ସଂରକ୍ଷିତ ଜଙ୍ଗଲ ତଥା ଚମ୍ପୁଆ ଫରେଷ୍ଟ ରେଞ୍ଜର ବୈତରଣୀ-କ, ବୈତରଣୀ-ଖ, ନଈବୁଗା ଓ ପିଢପୋଖରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବା ସଂଲଗ୍ନରେ ବସବାସ କରୁଥିବା ଆଦିମ ଅଧିବାସୀଙ୍କ ନିମନ୍ତେ ଅଣଟିମ୍ବର ଜାତୀୟ କୁସୁମ ଗଛର ଫୁଲମଞ୍ଜିରୁ କୁସୁମ ତେଲ ଓ ଉପଜାତ ଦ୍ରବ୍ୟ ସଂଗ୍ରହ ଖଣି ପ୍ରଭାବିତ ଇଲାକାରେ ଶିଳ୍ପର ନୂତନ ସମ୍ଭାବନା ସୃଷ୍ଟି କରିଛି । ସମ୍ପୃକ୍ତ ସଂରକ୍ଷିତ ଜଙ୍ଗଲ ସମୂହ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରଚୁର ପରିମାଣରେ ଏଭଳି ଗଣ୍ଡିହୀନ ଉଦ୍ଭିଦ ଉପଲବ୍ଧ ଥିବାରୁ ଏହା ଅଞ୍ଚଳବାସୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ ବୋଲି ପରିବେଶବିତ୍ ଗୁରୁତ୍ୱାରୋପ କରିଛନ୍ତି ।
ତେବେ ଯୋଡା ଖଣି ମଣ୍ଡଳ ବା ଯୋଡା ଖଣି ପ୍ରଭାବିତ ଇଲାକାରେ କେତେକ ଆଦିବାସୀ କେଉଁ ଆବାହନ କାଳରୁ ପାରମ୍ପରିକ ଢଙ୍ଗରେ କୁସୁମ ମଞ୍ଜିରୁ ତେଲ ସଂଗ୍ରହ କରିଆସୁଛନ୍ତି । ସ୍ଥାନୀୟ ବଜାରରେ ତେଲ ବିକ୍ରି କରି ଏହାକୁ ଏକ ଋତୁକାଳୀନ ବେଉସାରେ ପରିଣତ କରିଥିବା ଦେଖିବାକୁ ମିଳୁଛି । ନିର୍ଦ୍ଦିଷ୍ଟ ଋତୁରେ ଜଙ୍ଗଲରୁ କୁସୁମ ମଞ୍ଜି ସଂଗ୍ରହ ପରେ ଏହାକୁ ଖରାରେ ଶୁଖାଇ ଗୁଣ୍ଡ କରାଯାଏ । ଫରେ ଗୁଣ୍ଡକୁ ପ୍ରାୟ ୨୦ ମିନିଟ୍ରୁ ଊଦ୍ଧ୍ୱର୍ ସମୟ ପାଣିରେ ସିଝାଇ ବହଳିଆ ମଣ୍ଡ ପ୍ରସ୍ତୁତ କରାଯାଏ । ଉଷ୍ଣ ଥିବା ଅବସ୍ଥାରେ ମଣ୍ଡକୁ ହାତ ପେଡ଼ାରେ ପେଡ଼ି କୁସୁମ ତେଲ ସଂଗ୍ରହ କରାଯାଇଥାଏ । ପ୍ରାୟ ୨୦ କେଜି କୁସୁମ ମଞ୍ଜିରୁ ତିନିରୁ ସାଢେ ତିନି ଲିଟର ତେଲ ସଂଗ୍ରହ ହେଉଥିବା ଯୋଡା ବ୍ଲକ ବଲାଣୀ ପଞ୍ଚାୟତ ଅନ୍ତର୍ଗତ ରାଜ୍ୟ ସୀମାନ୍ତ ହରମଠ ଗ୍ରାମ ବାଇସାହି ବାସିନ୍ଦା ସୁନୀଲ ମୁଣ୍ଡା କହିଛନ୍ତି । ସ୍ଥାନୀୟ ବଜାରରେ ୧୦ ଗ୍ରାମ୍ କୁସୁମ ତେଲ ଦର ୧୦ ଟଙ୍କା ହିସାବରେ ଏକ କେଜି ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯାଉଥିବା ଗ୍ରାମର ସୋମବାରୀ ମୁଣ୍ଡା, ରାନୀ ମୁଣ୍ଡା, ଯଶୱନ୍ତ ମୁଣ୍ଡା, ଅଶୋକ ମୁଣ୍ଡା, ବେଷ୍ଣବ ମୁଣ୍ଡା ପ୍ରମୁଖ କହିଛନ୍ତି । ତେଲ ସଂଗୃହୀତ ହେବା ପରେ ଅବଶେଷ ଯୌଗିକ ମଣ୍ଡକୁ ଶୁଖାଇ ଗୁଣ୍ଡ କରି ତାହାକୁ କିଚେନ୍ ଗାର୍ଡେନରେ ବ୍ୟବହାର କରୁଥିବା ସେମାନେ କହିଛନ୍ତି । ତେବେ ତେଲ ପ୍ରସ୍ତୁତ କରିବା ପୂର୍ବରୁ କୁସୁମ ମଞ୍ଜି ସଂଗ୍ରହ କରିବା ବେଳେ ହାତୀ ସମେତ ହିଂସ୍ର ଜୀବଜନ୍ତୁଙ୍କ ହାବୁଡ଼ରେ ପଡ଼ିବା ଭୟ ଥିବାରୁ ପୂରା ପରିବାର ଏହି କାମରେ ନିୟୋଜିତ ହେଉଥିବା ପ୍ରକାଶ କରିଛନ୍ତି ସୁନୀଲ ମୁଣ୍ଡା ।
କୁସୁମ ତେଲକୁ ମୁଣ୍ଡ, ଦେହରେ ବ୍ୟବହାର କରାଯିବା ସହ ରନ୍ଧନ ଓ ଇନ୍ଧନ ତେଲ ଭାବେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଔଷଧୀୟ ଗୁଣ ଥିବାରୁ ନାଲିବ୍ରଣ, କୁଣ୍ଡିଆ, ବାତ ଏପରିକି ପୋଡାଜଳା ଭଳି ରୋଗର ଉପଶମ ନିମନ୍ତେ ଆଦିବାସୀ ସମ୍ପ୍ରଦାୟ କୁସୁମ ତେଲ ବ୍ୟବହାର କରିଥାନ୍ତି । ହଳଦିଆ ଧୂସର ରଙ୍ଗ ଓ ଅସ୍ପଷ୍ଟ ଗନ୍ଧଯୁକ୍ତ କୁସୁମ ତେଲରେ ବାଦାମ ଗନ୍ଧର ତରଳ ବିଷାକ୍ତ ଅମ୍ଳ ମହଜୁଦ ରହୁଥିବାରୁ ବୈଜ୍ଞାନିକ ପ୍ରଣାଳୀରେ ଏହାକୁ ଶୁଦ୍ଧ ନ କରି ରନ୍ଧନରେ ବ୍ୟବହାର କରିବା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ବୋଲି ଯୋଡା ବ୍ଲକ ଦେଓଝର ପଞ୍ଚାୟତର ପରିବେଶ ସଂସ୍ଥାନ ମାଇନ୍ସ ମିନେରାଲ୍ସ ଏଣ୍ଡ ପିପୁଲର ପରେଶ କୁମାର ବାରିକ କହିଛନ୍ତି । ଅନ୍ୟପକ୍ଷେ ସାବୁନ, କପଡା, ଚମଡା ଶିଳ୍ପରେ କୁସୁମ ତେଲର ବହୁଳ ବ୍ୟବହାର ହେଉଥିବା ବେଳେ ଇନ୍ଧନ ଡିଜେଲର ଏହା ବିକଳ୍ପ ବୋଲି ପ୍ରମାଣିତ ହୋଇଥିବା ଶ୍ରୀ ବାରିକ କହିଛନ୍ତି । ଡିଷ୍ଟ୍ରିକ୍ ମିନେରାଲ ଫଣ୍ଡ ଫାଉଣ୍ଡେସନ ଆର୍ଥôକ ଅନୁଦାନରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ କୁସୁମ ତେଲ ସମ୍ପର୍କିତ ଶିଳ୍ପ ନିମନ୍ତେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଏହି ପରିକଳ୍ପନାର ରୂପରେଖ ଦିଆଯାଇପାରିଲେ ଖଣି ପ୍ରଭାବିତ ଅଧିବାସୀଙ୍କ ନିମନ୍ତେ ଏହା ବରଦାନ ପାଲଟନ୍ତା ବୋଲି ଶ୍ରୀ ବାରିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here