କାଜୁ ଚାରାରୋପଣ ପ୍ରହସନ

0
136

କେନ୍ଦୁଝର(ସଞ୍ଜୀବ ସାହୁ/ଆଦ୍ୟାଶ ନିଉଜ):କେନ୍ଦୁଝର ଜିଲାରେ କାଜୁ ଚାରାରୋପଣ ଯୋଜନା ପ୍ରହସନରେ ପରିଣତ ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ପତିତ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ଏଥିପାଇଁ ସରକାରଙ୍କ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଶାନୁରୂପ ଭାବେ ଏହି ଯୋଜନା ସଫଳ ହୋଇନି। ଏଭଳି ଏକ ଘଟଣା ସଦର ବ୍ଲକ ବାଉରୀପଦା ପଞ୍ଚାୟତ ମନୋହରପୁର ନିକଟରେ ଦେଖିବାକୁ ମିଳିଛି। ମନୋହରପୁର ନିକଟରେ ଥିବା କେତେକ ପତିତ ଏବଂ ସରକାରୀ ଜମିରେ କାଜୁ ଚାରାରୋପଣ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଏବଂ ଉଦ୍ୟାନ ବିଭାଗ ତରଫରୁ ୨ ବର୍ଷ ତଳେ ଏଠାରେ କାଜୁ ଚାରା ଲଗାଯାଇଥିଲା। ଏବେ ତାହାର ଦେଖା ଦର୍ଶନ ମିଳୁ ନ ଥିବା ଜଣାଯାଇଛି। କେତେକ ସ୍ଥାନରେ ଅଳ୍ପ ଗଛ ବଞ୍ଚିଥିବା ଦେଖାଯାଉଛି। ଏଥିପାଇଁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ମନୋହରପୁରରେ ୫ ହଜାରରୁ ଅଧିକ କାଜୁ ଚାରାରୋପଣ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ଏହି ଗଛ ଯୋଗାଇବା ବିଭାଗର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି କାଜୁ ଗଛଗୁଡିକର ରକ୍ଷଣାବେକ୍ଷଣ କରି ଫଳ ଉପତ୍ାଦନ ପରେ ପରିବାରକୁ ଭରଣପୋଷଣ କରିବା ଲକ୍ଷ୍ୟରେ ଚାରାରୋପଣ କରାଯାଇଥିଲା। ଏହି କାଜୁ ବଗିଚାରେ ଏବେ ଗଛ ଶୂନ୍ୟ ହୋଇଛି। ଗଛଗୁଡିକୁ ସୁରକ୍ଷା ଦେବା ପାଇଁ ଚାରିପଟେ କରାଯାଇଥିବା ବାଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବିନା ପାଣି ଓ ଜଗାରଖା କାରଣରୁ ଶତାଧିକ ଗଛ ମରିଗଲାଣି। ଆଉ କେତେକ ସ୍ଥାନରେ କାଜୁ ଗଛଗୁଡିକ ବଞ୍ଚିଛି। ସେଗୁଡିକର ରକ୍ଷଣାବେକ୍ଷଣ ଅଭାବରୁ ରୁଗ୍‌ଣ ହୋଇଗଲାଣି। ସେହି ଗଛଗୁଡିକ ଉଧେଇବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାଜୁ ବଗିଚା ରକ୍ଷଣାବେକ୍ଷଣ ନାମରେ ବିଭାଗୀୟ କର୍ତ୍ତୃପକ୍ଷ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କାର ଖର୍ଚ୍ଚ ଦର୍ଶାଉଛନ୍ତି। ପ୍ରକୃତପକ୍ଷେ ଏଠାକାର କାଜୁ ବଗିଚାର ରକ୍ଷଣାବେକ୍ଷଣ ଓ ତଦାରଖ ହେଉଥିବା ଭଳି ଆଦୌ ମନେ ହେଉନି। ଜିଲା ପ୍ରଶାସନ ଏହାର ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here