ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

0
38

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ। ଏହାସହ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ଅନୁଗୁଳ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି।

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି।

ସେପଟେ କିଛି ଜିଲ୍ଲାରେ ଭୂସ୍ଖଳନ ଓ ବନ୍ୟାସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ମୁକାବିଲା ପାଇଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପୂର୍ବ ପ୍ରସ୍ତୁତି କରିବା ସହ ରନ୍ଧା ଖାଦ୍ୟ, ପାନୀୟ, ଆଲୋକ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବା ରାସ୍ତାରେ ବିକଳ୍ପ ଗମନାଗମନ ସୁବିଧା ପାଇଁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here