ଆଜି ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

0
102

ଭୁବନେଶ୍ୱର -: ୧୧ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ ହୋଇଛି। ମତଦାନ ପରିଚାଳନା ପାଇଁ କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଧରି ଗନ୍ତବ୍ୟସ୍ଥଳକୁ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଚଳିତ ନିର୍ବାଚନରେ ୬୦ ଲକ୍ଷ ୩ ହଜାର ୭୦୭ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୯ ଲକ୍ଷ ୭୨ ହଜାର ୯୨୫ ପୁରୁଷ , ୩୦ ଲକ୍ଷ ୩୦ ହଜାର ୨୨୨ ମହିଳା, ୫୬୦ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏହି ପର୍ଯ୍ୟାୟ ମତଦାନ ପରିଚାଳନା ପାଇଁ ୪୭ ହଜାର ୮୦୫ ଜଣ(୪୭,୧୧୫ ପୁରୁଷ ଓ ୬୯୦ ମହିଳା) ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ସକାଶେ ୭୨୩୩ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିମଧ୍ୟରୁ ୨୩୭୫ଟି ସମ୍ବେଦନଶୀଳ ବୁଥ ରହିଥିବାବେଳେ ୩୦ଟି ମହିଳା ବୁଥ୍‌ ଖୋଲାଯାଇଛି। ମହିଳା କର୍ମଚାରୀମାନେ ମହିଳା ବୁଥ୍‌କୁ ପରିଚାଳନା କରିବେ। ଭୋଟ ସାମଗ୍ରୀ ନେବା ପାଇଁ ୮୮୭୭ ଯାନବାହନ ନିୟୋଜିତ କରାଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ କୁମାର କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୧,୦୩,୩୦୭ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ନାମ ପଞ୍ଜୀକରଣ କରାଯାଇଛି। ସେମାନେ କିଭଳି ସୁରୁଖୁରୁରେ ମତଦାନ କରି ପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୬୯୮୮ ବୁଥରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ୫୦୫୧ ପୋଲିଂ ଷ୍ଟେଶନକୁ ବ୍ରେଲି ଡମି ବାଲଟ ପେପର ପଠାଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା କରିବା ସକାଶେ ୧୨,୧୬୨ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଥିବା ବେଳେ ସେମାନଙ୍କୁ ନେବା ଆଣିବା ସକାଶେ ୨୬୧୭ ଗାଡିର ବ୍ୟବସ୍ଥା କରାଯାଇଛି। ଡାକରେ ଭୋଟ ଦେବାକୁ ୧୯୬୨୭ଟି ଆବେଦନ ଆସିଛି। ସେଥିରୁ ୧୯୫୮୬ଟି ପୋଷ୍ଟାଲ ବାଲଟକୁ ଅନୁମତି ଦିଆଯାଇଛି ବୋଲି କୁମାର କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୪ ଲୋକ ସଭା ଆସନ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଓ ଏହା ଅଧୀନ ୨୮ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ୨୮ ବିଧାନସଭା ଆସନ ପାଇଁ ୧୯୧ ଏବଂ ୪ ଲୋକ ସଭା ଆସନ ପାଇଁ ୨୬ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here