ଆଜି ‘ବିଶ୍ୱ ପଖାଳ ଦିବସ’

0
109

ଦେବଗଡ଼ (ରଶ୍ମିତା ରାଉତ /ଆଦ୍ୟାଶା ନ୍ୟୁଜ) – ଓଡ଼ିଆ ଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଅର୍ଥାତ ବର୍ଷର ଆଜି ଦିନଟିକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ନିକଟରେ ପଖାଳ କୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯଇଥିଲା। ସେଥିରୁ ଏକଥା ସ୍ପଷ୍ଟ ହୋଇଛି ଯେ ବାସି ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଖାଇଲେ ତାହା ଖୁବ୍ ଲାଭଦାୟକ। ଅର୍ଥାତ୍ ଏହାକୁ ଆମେ ପଖାଳ ଭାତ ଭାବେ ଗ୍ରହଣ କରିଥାଉ। ଆମେ ଯେତେବେଳେ ଭାତ ରାନ୍ଧିଥାଉ,ସେଥିରେ ଆଇରନ୍ର ମାତ୍ରା ୩.୪ ମିଲିଗ୍ରାମ୍ ଥାଏ।ଯଦି ସମାନ ପରିମାଣର ଚାଉଳକୁ ରାତିସାରା(ଅନ୍ୟୁନ୍ ୧୨ ଘଣ୍ଟା) ଭିଜାଇ ରଖାଯାଏ,ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ୍ ହୋଇଯାଏ।

ଠିକ୍ ସେହିପରି ଏଥିରେ ସୋଡିଅମ୍,ପୋଟାସିଅମ୍ ଓ କାଲସିଅମ୍ର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ।ପଖାଳ ଭାତରେ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ,ଦେହରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ,ତାହା ମଧ୍ୟ ଦୂରୀଭୂତ ହୋଇଥାଏ|
ଏବେ ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲରେ ମଧ୍ୟ ପଖାଳର ଚାହିଦା ଢେର ଅଧିକ।
କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍‌ରେ କେବେବି ମିଳିବ ନାହିଁ। ସବୁ ଦୃଷ୍ଟିରୁ ପଖାଳ ମଧ୍ୟ ଦେହ ପାଇଁ ସ୍ୱାସ୍ଥ୍ୟପ୍ରଦ। ପାଶ୍ଚାତ୍ୟମୁଖୀ ହୋଇ ଓଡ଼ିଆମାନେ ନିଜ ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲି ଯାଇଥିବା ବେଳେ ପଖାଳକୁ କିନ୍ତୁ ଭୁଲି ପାରି ନାହାନ୍ତି।

LEAVE A REPLY

Please enter your comment!
Please enter your name here