ଅବଧି ସରିଲା ହେଲେ ସରୁନି ରାସ୍ତାକାମ

0
84

କେନ୍ଦୁଝର (ସଂଜୀବ ସାହୁ/ଆଦ୍ୟାଶ ନିଉଜ):ଝୁମ୍ପୁରା ବ୍ଲକ୍ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ସରକାରୀ ନୀତିନିୟମକୁ ଅଣଦେଖା କରି କାମ କରୁଥିବା ଦେଖିବାକୁ ମିଳୁଛି । ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତାର ସ୍ଥାୟିତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ରାସ୍ତା ନିର୍ମାଣର ଧାର୍ଯ୍ୟ ଅବଧି ସରିବା ପରେ ମଧ୍ୟ ସରୁନି ରାସ୍ତା କାମ । ଝୁମ୍ପୁରା ବ୍ଲକ୍ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଉ ଥିବା କୌଣସି ଗୋଟିଏ ହେଲେ ରାସ୍ତା ନିର୍ମାଣ ଧାର୍ଯ୍ୟ ଅବଧି ମଧ୍ୟରେ ରାସ୍ତା କାମ ସରୁନାହିଁ । ରାସ୍ତା ନିର୍ମାଣର ଶେଷ ଅବଧି ତାରିଖ ଠାରୁ ୫ବର୍ଷ ପର୍ଯ୍ୟନ୍ତ ମରାମତି ଦାୟିତ୍ୱ ସମ୍ପୃକ୍ତ ଠିକାଦାରଙ୍କର ରହିଥିଲେ ହେଁ ରାସ୍ତା ନିର୍ମାଣ ଆଳରେ ମରାମତିର ସମୟ ସୀମା ମଧ୍ୟ ସମ୍ପୃକ୍ତ ଠିକାଦାର ସାରି ଦଉଛି, ଯାହାକି ସୂଚନା ଫଳକରୁ ସ୍ପଷ୍ଟ ଜଣାପଡୁଛି । ରାସ୍ତା ନିର୍ମାଣ ସମ୍ପର୍କିତ ଯେ କୌଣସି ଅଭିଯୋଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମାନେ ଚତୁରତାର ସହିତ ଏଡାଇ ଯାଉଛନ୍ତି । ବହୁ କ୍ଷେତ୍ରରେ ଅଭିଯୋଗକୁ ତାଳିପକା କାମ କରି ଦଫାରଫା କରିଦିଆ ଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି- ଝୁମ୍ପୁରା ବ୍ଲକ୍ ୨୧୫ନମ୍ବର ଜାତୀୟ ରାଜପଥ ଠାରୁ ନହବେଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ । ଯେଉଁ ମାତ୍ରାରେ ରାସ୍ତା କାମ ହେବା କଥା ସେପରି ନହୋଇ କଚ୍ଛପ ଗତିରେ ଚାଲିଛି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦୌ ଶୁଣୁ ନାହିଁ । ସୂଚନା ଫଳକର ତଥ୍ୟ ଅନୁସାରେ ପ୍ୟାକେଜ୍ ନଂ-ଓଆର ୧୭-୩୮୪, ୨୧୫ ନମ୍ବର ଜାତୀୟ ରାଜପଥ ଠାରୁ ନହବେଡା ନିର୍ମାଣଧିନ ଥିବା ୫ କି.ମି ୮୧୩ ମିଟର ରାସ୍ତା ପାଇଁ ବ୍ୟୟ ଅଟକଳ ରହିଛି ୧କୋଟି ୮୬ଲକ୍ଷ ୫୯ହଜାର ଟଙ୍କା । କାର୍ଯ୍ୟାରମ୍ଭ ତା ୬/୬/୨୦୧୮ ରହିଥିବା ବେଳେ, କାର୍ଯ୍ୟ ଶେଷ ଧାର୍ଯ୍ୟ ଅବଧି ତାରିଖ ରହିଛି ତା ୫/୩/୨୦୧୯ । ସୂଚନା ଫଳକ କହୁଛି ୫ବର୍ଷ ରକ୍ଷଣା ବେକ୍ଷଣ ନିମନ୍ତେ ୧୬ଲକ୍ଷ ୯୫ ହଜାର ଅଟକଳ ହୋଇଅଛି । ରାସ୍ତାର ରକ୍ଷଣା ବେକ୍ଷଣ ଓ ମରାମତି ତାରିଖ ୬/୩/୨୦୧୯ ଠାରୁ ଆରମ୍ଭ ହୋଇ ତାରିଖ ୫/୩/୨୦୨୪ରେ ଶେଷ ହେବ । ହେଲେ କଚ୍ଛପ ଗତିରେ ଚାଲିଥିବାରୁ ସରିବା ନା ଧରୁ ନାହିଁ । ତେଣୁ ସୂଚନା ଫଳକରେ ପ୍ରଦତ ସୂଚନା ଉପରେ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି ।
ଆଗକୁ ବର୍ଷା ଦିନ ଆସୁଥିବାରୁ ଲୋକେ ଯିବାଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ନିର୍ମାଣାଧିନ ରାସ୍ତା ଉପରେ ହାଲୁକା ଭାବେ ମୋରମ ପକାଇ ସମତୁଲ କରାଯାଇ ଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ଗ୍ରାମବାସୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଅଧିକାରୀ ନିରବ ରହିଥିବା ଗ୍ରାମବାସୀ କହିଛନ୍ତି । ଅପର ପକ୍ଷେ ପିଚୁକାମ ଚାଲିଥିବା ସ୍ଥାନରେ କାମ କରୁଥିବା ଶ୍ରମିକ ମାନଙ୍କୁ କୌଣସି ସୁରକ୍ଷା ସରଞ୍ଜାମ ଦିଆଯାଉ ନଥିବା ଅଭିଯୋଗ ହେଉଛି । ଗରମ ପିଚୁଟିଣକୁ ଖାଲି ହାତରେ ଧରି ନେବାଆଣିବା କଷ୍ଟକର ହେଉଛି ବୋଲି ଶ୍ରମିକମାନେ କହୁଛନ୍ତି । ରାସ୍ତାକାମରେ ବାଲି, ମୋରମ ଓ ମେଣ୍ଟାଲର ସଠିକ ପରିମାଣ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ଖେଣ୍ଡରା ଗ୍ରାମବାସୀ । ଉକ୍ତ ରାସ୍ତା ନିର୍ମାଣ ସମ୍ବନ୍ଧରେ ଝୁମ୍ପୁରା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଅଧିକାରୀ ଫୋନ୍ ଉଠାଇ ନଥିବା ବେଳ, କନିଷ୍ଠ ଯନ୍ତ୍ରୀ କେଶବ ପ୍ରଧାନଙ୍କ ମତାମତ ନେବାରୁ ସମସ୍ତ ଘଟଣା ଏଡାଇ ଯାଇ କହିଲେ କାର୍ଯ୍ୟର ସମୟ ସୀମା ବଢାଇବା ପାଇଁ ଠିକାଦାର ଲିଖିତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here