ଅଧପନ୍ତରିଆ ଅବସ୍ଥାରେ କୁସୁମିତାଠାରୁ ଫୁଲଝର ରାସ୍ତା

0
64

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ) ସରକାର ଗାଁକୁ ସହର ସହ ଯୋଡିବାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହାସହ ରାଜ୍ୟସରକାର ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମଧ୍ୟ ବନେଇଛନ୍ତି । ଏହିସବୁ ଯୋଜନର ମୁଖ୍ୟ ଲକ୍ଷ ହେଉଛି ଲୋକଙ୍କ ଯାତାୟାତର ସୁବିଧା ସୁଯୋଗ ଯୋଗାଇ ଦେବା । ଏହାଦ୍ୱାରା ଗ୍ରାମ ଗୁଡିକର ଦ୍ରୁତ ବିକାଶ ହୋଇପାରିବ । କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଯୋଜନା ବହୁ ସମୟରେ ଫେଲ ମାରୁଛି । ଏଭଳି ଏକ ରାସ୍ତା କାର୍ଯ୍ୟ ହେଉଛି ବଣ ଜଙ୍ଗଲ ଘେରା କୁସୁମିତାଠାରୁ ଫୁଲଝର ରାସ୍ତା
ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ଵାରା ଉକ୍ତ ରାସ୍ତାଟି ଜଙ୍ଗଲ ମଧ୍ୟ ଦେଇ ପ୍ରାୟ ଏକ କିଲୋମିଟର ବନେଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ରାସ୍ତାର କିଛି ଭାଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଠିକାଦାର ଅଧା କାର୍ଯ୍ୟ କରି ବନ୍ଦ କରି ଦେଇଛି । ଉକ୍ତ ରାସ୍ତା ଉପରେ ଆଖପାଖ ଅଞ୍ଚଳର ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଲୋକ ଯାତାୟାତ କରନ୍ତି । ଠିକାଦାର କାର୍ଯ୍ୟ ବନ୍ଦ କରି ଦେବା ଯୋଗୁଁ ଏହି ଲୋକମାନେ ପ୍ରଭାବିତ ହେଉଛନ୍ତି । ସ୍କୁଲକୁ ପିଲା ଯିବା ଠାରୁ ରୋଗୀ ମେଡ଼ିକାଲ ଯିବା ନେଇ ସମସ୍ତେ ହନ୍ତସନ୍ତ ହେଉଛନ୍ତି । ପାହାଡ଼ି ରାସ୍ତା ହୋଇଥିବାରୁ ବହୁ ପଥର ରାସ୍ତା ମଧ୍ୟରେ ପଡୁଛି । ଏଗୁଡ଼ିକୁ ଅଧା ଫଟାଇ ଛାଡିଥିବା ଅଭିଯୋଗ ହେଉଛି ।ଏହି ରାସ୍ତା ନିକଟରେ କୌଣସି ଅନ୍ୟ ରାସ୍ତା ନଥିବାରୁ ଏହି ଅଧାଭଙ୍ଗା ରାସ୍ତା ଦେଇ ଲୋକେ ଯିବାଆସିବା କରୁଛନ୍ତି । ବର୍ଷା ହେଲେ ନକହିବା ଭଲ । ଅନ୍ୟ ରାସ୍ତା ଦେଇ ଗଲେ ଦଶ କିଲୋମିଟରରୁ ଅଧିକ ରାସ୍ତା ପଡୁଛି । ସେଥିରେ ହାତୀ ଆକ୍ରମଣର ଭୟ ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ଚାନ୍ଦା ଆଦାୟର ଭୟ ମଧ୍ୟ ଘାରୁଛି । ବିଭାଗୀୟ ଅଧିକାରୀଙ୍କୁ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ରାସ୍ତାକୁ ବର୍ଷା ଦିନ ପୂର୍ବରୁ ସାରିବା ପାଇଁ ଯୋଜନା କରିଥିବାବେଳେ ଯେତେଶିଘ୍ର ପୂର୍ଣ୍ଣ କରିବେ ବୋଲି ପ୍ରକାଶ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here