ଅକ୍ଟୋବର ୨ରୁ ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ: ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ହଟିବ

0
28

ଭୁବନେଶ୍ୱର,-: ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ଆର୍ଥିକ ସ୍ବଚ୍ଛଳ ବର୍ଗରେ ପରିଣତ କରିବାକୁ କେନ୍ଦ୍ର ସରକାର ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସଚିବ ଅମରଜିତ ସିହ୍ନା ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ଅଭିଯାନ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଗ୍ରାମାଞ୍ଚଳରେ ସମ୍ବିଧାନର ଏକାଦଶ ପରିଚ୍ଛେଦରେ ଗ୍ରାମ ପଞ୍ଚାୟତକୁ ଦିଆଯାଇଥିବା ୨୯ ବିଭାଗ ଉପରେ ଏହି ଅଭିଯାନରେ ପଦକ୍ଷେପ ନିଆଯିବ। ଏଥିରେ ମୁଖ୍ୟତଃ କୃଷି, ଚାଷ ଜମିର ବିକାଶ, କ୍ଷୁଦ୍ର ଜଳସେଚନ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଚାଷ, ଜଙ୍ଗଲ, କ୍ଷୁଦ୍ର ଶିଳ୍ପ, ଗ୍ରାମ୍ୟ ଖଦି ଉଦ୍ୟୋଗ, ଗ୍ରାମୀଣ ଗୃହ, ପାନୀୟ ଜଳ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, ଅଣପାରମ୍ପରିକ ଶକ୍ତି, ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ଧନ୍ଦାମୂଳକ ଶିକ୍ଷା, ଶିକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ, ବଜାର ଓ ମେଳା, ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ସାଧାରଣ ବଣ୍ଟନ ବ୍ୟବସ୍ଥା ଇତ୍ୟାଦି ବିଷୟ ଅନ୍ତର୍ଭୁକ୍ତ କରାଯାଇଛି।

ସମସ୍ତ ବିଭାଗର ସଚିବମାନଙ୍କ ବୈଠକ ଡାକି ଏ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଅଲଗା ବଜେଟ ପ୍ରସ୍ତୁତ କରିବା ସହ ପଞ୍ଚାୟତସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବମାନେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ଉକ୍ତ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ପ୍ରସ୍ତୁତ କରାଯିବ। ଏହି ସମୟ ମଧ୍ୟରେ ପଞ୍ଚାୟତ ଗୁଡ଼ିକର ଭୌଗୋଳିକ ସ୍ଥିତି ଏବଂ ଜନସଂଖ୍ୟା ଆଧାରରେ ର଼୍ୟାଙ୍କ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଅଗଷ୍ଟ ୨୭ରେ ମୁଖ୍ୟ ଶାସନ ସଚିବଙ୍କ ସହ ମନ୍ତ୍ରଣାଳୟ ସଚିବ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି। କେନ୍ଦ୍ରଠାରୁ ନିର୍ଦ୍ଦେଶ ପାଇବା ପରେ ପଞ୍ଚାୟତିରାଜ ବିଭାଗ ଏ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।

LEAVE A REPLY

Please enter your comment!
Please enter your name here